ଆଗରୁ ବଲାଙ୍ଗୀରକୁ ଅବହେଳା କରାଯାଇଛି ଏମିତି କିଛି କହି ବର୍ଷିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ । ଦୁଇଦିନିଆ ବଲାଙ୍ଗୀର ଗସ୍ତସାରି ଆଜି ଫେରିଛନ୍ତି । ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ଜିଲା ପ୍ରତି ଅବହେଳା ହୋଇଛି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା କରିବାକୁ ପ୍ରାଥମିକତା ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ବଲାଙ୍ଗୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ବଲାଙ୍ଗୀର ଜିଲାର ଜଳସେଚନ, କୃଷି ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯିବ। ଏହି ଖବରଦାତା ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ଲୋକସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ଜିଲାପାଳ ଗୌରବ ଶିଓ୍ବାଜୀ ଇସଲଓ୍ବାର, ଏସ୍ପି ଋଷିକେଶ ଡାନଦେଓ ଖିଲାରୀ, ଭାଜପା ଜିଲା ସଭାପତି ଶିବାଜୀ ମହାନ୍ତି ଓ ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଶନିବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଓ ଉନ୍ନତିକରଣ, ବେଲପଡା ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ, ପାଟଣାଗଡ଼ ବାଇପାସ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଡାଇଲିସିସ ୟୁନିଟ୍ ଓ ବଲାଙ୍ଗୀର ନୂଆ ସର୍କିଟ ହାଉସର ଉଦଘାଟନ କରିଥିଲେ। ଖବରଦାତା ସମ୍ମିଳନୀ ପରେ ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।












Click it and Unblock the Notifications