ଆଜି ବଳଙ୍ଗା ପୀଡ଼ିତାଙ୍କ ହେବ ଶେଷକୃତ୍ୟ; ସମସ୍ତ ରୀତିନୀତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର

ଆଜି ବଳଙ୍ଗା ପୀଡ଼ିତାଙ୍କ ହେବ ଶେଷକୃତ୍ୟ। ନିଜ ଗାଁ ବାୟାବର କବରସ୍ତାନରେ କବର ଦିଆଯିବ। ସମସ୍ତ ରୀତିନୀତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେବ। ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।

ରବିବାର ସକାଳେ ନୂଆଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମରଶରୀର ଭୁବନେଶ୍ବର ଆଣିବା ଲାଗି ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ରାତି ପ୍ରାୟ ୯ଟା ସମୟରେ ମୃତଦେହ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭୁବନେଶ୍ବର ବିମାନବନ୍ଦର ବାହାରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା।

Balanga victim s last rites to be performed today

ନିଜେ ଡିସିପି ଜଗମୋହନ ମୀନା ଓ ବରିଷ୍ଠ ପୁଲିସ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ବିମାନବନ୍ଦରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପୀଡ଼ିତ‌ାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସମୀର ଦାଶ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ପୀଡ଼ିତାଙ୍କ ଶେଷଦର୍ଶନ କରିଥିଲେ। କଲ୍‌ମା ପାଠ ପରେ ମୃତଦେହକୁ ମହାପ୍ରୟାଣ ଗାଡ଼ି ଯୋଗେ ବଳଙ୍ଗା ନିଆଯାଇଥିଲା।

ରାତି ପ୍ରାୟ ସାଢ଼େ ୧୨ଟାରେ ପୀଡ଼ିତାଙ୍କ ମୃତଦେହ ନୂଆ ଗୋପାଳପୁର ଗାଁରେ ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିକୁ ଅଶ୍ରୁସିକ୍ତ କରିଥିଲା। ଯେଉଁ ହାତ ନାବାଳିକା ଝିଅକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ସମୟରେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। ୭ ଫୁଟ ଲମ୍ବ, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋ‌କେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ। ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ବଳଙ୍ଗା ବଜାରରୁ ପୀଡ଼ିତାଙ୍କ ଘର ପର୍ଯ୍ୟନ୍ତ ପୁଲିସ କର୍ଡନ୍‌ ଭିତରେ ଶବବାହକ ଗାଡ଼ିକୁ ନିଆଯାଇଥିଲା। ଅନ୍ୟପଟେ ଗାଁ ଲୋକମାନେ ପୁଲିସ ସାଇରନ୍‌ ଶୁଣୁଶୁଣୁ ରାସ୍ତା ଉପରକୁ ଆସିଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ପୀଡ଼ିତାଙ୍କର ଶେଷ ଦର୍ଶନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+