ଶେଷ ପର୍ଯ୍ୟାୟରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ, ନିର୍ମାଣରେ ଲାଗିଛନ୍ତି ପାରମ୍ପରିକ ମହାରଣା ସେବକ
କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ମହାରଣା କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ବଡ ଠାକୁର ଶ୍ରୀବଳଦେବଙ୍କ ବ୍ରହ୍ମ ତାଳଧ୍ଵଜ ନିର୍ମାଣରେ ଲାଗିଛନ୍ତି ପାରମ୍ପରିକ ମହାରଣା ସେବକ ।
ଆଉ ତିନି ଦିନ ପରେ ହେବ ଶ୍ରୀଜୀଉଙ୍କ ରଥଯାତ୍ରା । ତା ପୂର୍ବରୁ କାମ ସାରିବାକୁ ହେବ ଆଉ ବର୍ତ୍ତମାନ ସୁଦ୍ଧା ଛନ୍ଦରା ପଡିବା କାମ ଶେଷ ହୋଇଛି । ନାହାକି ଲାଗିବା କାମ ମଧ୍ୟ ଆଗେଇ ଛାଲିଛି ।

ଶ୍ରୀଜୀଉମାନଙ୍କ ବ୍ରହ୍ମ ତାଳଧ୍ଵଜ ରଥରେ ୧୪ ଗୋଟି ଚକ ରହିଥିବା ବେଳେ ୭ ଗୋଟି ଅଖ, ୯ ଗୋଟି ବରାନ୍ଦ, ୬୪ ଗୋଟି ଭିତରଖଟି, ୧୪ ଗୋଟି ଜୁଣ ଓ ନାହାକା ରହିଛି । ତେବେ ଚଳିତ ବର୍ଷ ରଥର କିଛି ଅଂଶ ନୂଆକରି ନିର୍ମାଣ ହେଉଛି ।
୪ଟି ଚକ ଓ ଦୁଇଗୋଟି ଅଖ ସମେତ ବରାହ ଓ ୨୫ ଗୋଟି ଖୁଣ୍ଟି ନୂଆକରି ତିଆରି ହୋଇଛି । ଏହି କ୍ଷେତ୍ରରେ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ହୋଇ ଜ୍ୟୋଷ୍ଠ ପୂର୍ଣ୍ଣିମାରେ ରଥ ନିର୍ମାଣ ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ କିନ୍ତୁ ୧୫ ଦିନ ଆଗରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।
ଏଥିରେ ୪୫ ଜଣ ବଢେଇଙ୍କ ସହିତ ୨୦ ଜଣ ଶ୍ରମିକ, କାଠ ଚିରାଳି ଓ ରଙ୍ଗ କାରିଗର, କମ୍ବାର ଓ ଶଗଡିଆ ଧୋବା ପ୍ରଭୃତି କାମରେ ଲାଗିଛନ୍ତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ତିନି ଦିଅଁ ଅଣସର ଘରେ ରହିଛନ୍ତି । ଭକ୍ତ ଶ୍ରଦ୍ଧାଳୁମାନେ ପଟିଦିଅଁ ଦର୍ଶନ କରି ବିଭୁକୃପା ଲାଭ କରୁଛନ୍ତି । ମନ୍ଦିରରେ ଆସନ୍ତା ୨୬ ତାରିଖରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ । ତା ପରଦିନ ଅର୍ଥାତ ୨୭ ତାରିଖରେ ତୁଳସୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପରମ୍ପରା ଅନୁଯାୟୀ ପାଳନ କରାଯିବ ।
ତେବେ ବିଗତ ବର୍ଷ ଗୁଡିକରେ ରଥ ବାମ ମୋଡ ନେବା ଦ୍ଵାରା ନୀତି କାନ୍ତି ଓ ରଥଟଣାରେ ଅହେତୁକ ବିଳମ୍ବ ଘଟିଥିଲା । ଏହି ଅଘଟଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚକ ଓ ଅଖ ନୂତନ ଭାବେ ନିର୍ମାଣ କରାଯାଉଛି ।
ପ୍ରତିବର୍ଷ ରଥ ଓ ରଥଯାତ୍ରା ଖର୍ଚ ପାଇଁ ୨୯ ଲକ୍ଷ ରଖାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ୩୫ ଲକ୍ଷକୁ ବୃଦ୍ଧି କରିଛି ମନ୍ଦିର ପ୍ରଶାସନ । ରଥଯାତ୍ରା ସମ୍ପୂର୍ଣ ତ୍ରୁଟିଶୂନ୍ୟ ହେବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଆଶା କରିଛନ୍ତି । ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନିକ ସ୍ତରରେ ଏକ ଗୁତ୍ଵପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉମାନଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ । ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications