ବାହାନଗା ଟ୍ରେନ ଦୁର୍ଘଟଣା: କ୍ୟାପିଟାଲ ହସ୍ପିଟାଲରେ ୩ ଅଭିଯୁକ୍ତ, ମେଡ଼ିକାଲ୍ ଚେକଅପ୍ ପାଇଁ ନେଲା ସିବିଆଇ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀ ଗିରଫ ହୋଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ ।

ତେବେ ଉକ୍ତ ତିନି ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେଡ଼ିକାଲ୍ ଚେକଅପ୍ ପାଇଁ ନେଇଛି ସିବିଆଇ । କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଅଭିଯୁକ୍ତଙ୍କ ମେଡ଼ିକାଲ୍ ଚେକଅପ୍ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ ।
ମିଳିଥିବା ସୂଚନା ଅନୁସାରେ ୩ ଅଭିଯୁକ୍ତଙ୍କୁ ପୁନର୍ବାର ପଚରାଉଚରା କରିବା ପାଇଁ ଡାକିଥିଲା ସିବିଆଇ । ତେବେ ସେମାନେ ପହଞ୍ଚିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଛି ସିବିଆଇ। ତେବେ ଏହି ମାମଲାରେ ଆଉ କାହାକୁ ସିବିଆଇ ଗିରଫ କରିବ, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ ।
ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।
ତେବେ ଦୁର୍ଘଟଣା କେମିତି ହେଲା, ଦୁର୍ଘଟଣା ପାଇଁ ଦାୟୀ କିଏ, ତାର ତଦନ୍ତ କରୁଥିଲା ସିବିଆଇ । ସିବିଆଇର ସ୍ୱତନ୍ତ୍ର ଟିମ୍ ଏକାଧିକ ଥର ବାହାନଗା ଆସି ଦୁର୍ଘଟଣାସ୍ଥଳ ଓ ରିଲେ-ରୁମରେ ତଦନ୍ତ କରିଥିଲେ । କର୍ମଚାରୀମାନଙ୍କୁ ପଚରା ଉଚୁରା କରିଥିଲେ ।












Click it and Unblock the Notifications