ଶେଷ ହେଲା ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା
ଶେଷ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଗତକାଲି (ରବିବାର) ସମାପନ ହୋଇଛି ।

ଏହି ପର୍ବର ମୁଖ୍ୟ ଆକର୍ଷଣ ଥିଲା ନୀଳ ପର୍ବ ଓ ପାଟ ଯାତ୍ରା । ଶନିବାର ନୀଳ ପର୍ବ ଏବଂ ରବିବାର ପାଟଯାତ୍ରା ସରିବା ପରେ ଚଡକ ପର୍ବ ସମାପନ ହୋଇଛି । ଚଳିତ ବର୍ଷ ୮୦ ପ୍ରତିଶତ ଲୋକ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିଲେ ।
ଚଡ଼କ ପର୍ବର ମୁଖ୍ୟ ଉତ୍ସବ ଭାବେ ମହାନୀଳ ପର୍ବ ପାଳିତ ହେଉଥିଲା ବେଳେ ଏହା ପଛରେ ୩ଟି କାରଣ ପ୍ରଚଳିତ ରହିଛି । ପୌରାଣିକ କାରଣ ଅନୁଯାୟୀ, ସୃଷ୍ଟି ପ୍ରାରମ୍ଭରେ ଦେବତା ଓ ଅସୁର ମିଳିତ ଭାବେ କୃର୍ମ ପିଠିରେ ମନ୍ଦର ପର୍ବତକୁ ପ୍ରତିଷ୍ଠା କରି ବାସୁକୀ ସାପକୁ ବ୍ୟବହାର କରି ସମୁଦ୍ର ମନ୍ଥନ ବେଳେ ବାସୁକୀ ସାପ ମୁହଁରୁ ହଳାହଳ ବିଷ ନିର୍ଗତ ହୋଇଥିଲା ।
ଏହି ବିଷ ଜ୍ଵାଳାରେ ସମଗ୍ର ସୃଷ୍ଟି ତ୍ରାହୀ ତ୍ରାହୀ ଚିତ୍କାର କରିଥିଲା । ଭଗବାନ ବିଷ୍ଣୁ ବିଚଳିତ ହୋଇ ଭୋଳାନାଥଙ୍କ ଶରଣ ପଶିଥିଲେ । ସୃଷ୍ଟି ରକ୍ଷା କରିବାକୁ ଯାଇ ଶିବ ଶଙ୍କର ସମସ୍ତ ହଳାହଳ ବିଷକୁ ଶଙ୍ଖ ପାତ୍ରରେ ଧାରଣ କରି କଣ୍ଠସ୍ଥ କରିଥିଲେ ବୋଲି ସେ ନୀଳକଣ୍ଠ ନାମରେ ପୂଜିତ ହେଉଛନ୍ତି । ନୀଳ ଶବ୍ଦର ଅର୍ଥ ହେଉଛି ବିଷ । ତେଣୁ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରରେ ନୀଳ ପର୍ବ ପାଳନ ହୋଇଥାଏ ।
ମାଳା ଚନ୍ଦନ ହୁଅନ୍ତି ଭକ୍ତ:
ସେହିପରି ରବିବାର ପାଟଯାତ୍ରା ପାଇଁ ଭୋର ସମୟରୁ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପାଟଯାତ୍ରାର କିମ୍ବଦନ୍ତୀ ଅନୁସାରେ, ନୀଳପର୍ବ ପର ଦିନ ପାଳିତ ହୁଏ ପାଟ ଉତ୍ସବ ବା ଚଡକ ଯାତ୍ରା । ବ୍ରତ ଧାରଣର ଶେଷ ଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନ ସେହି ଦିନକୁ ପଇତା ଧାରଣ କରିଥିବା ବ୍ରତଚାରୀ ଭକ୍ତଙ୍କ ସହିତ ମିଳିତ ହୁଅନ୍ତି ହଜାର ହଜାର ତୀର୍ଥ ଯାତ୍ରୀ, ପର୍ଯ୍ୟଟକ, ବ୍ୟବସାୟୀ, ସ୍ବେଚ୍ଛାସେବୀ ଓ ଜିଲ୍ଲା ପ୍ରଶାସନର ତୁଙ୍ଗ କର୍ମକର୍ତ୍ତା ଗଣ ତଥା ଶାନ୍ତିଶୃଙ୍ଖଳା ରକ୍ଷାକାରୀ ପୋଲିସ ବାହିନୀ । ଅନ୍ତିମ ଅର୍ଘ୍ୟ ଦାନ ପୂର୍ବରୁ ସମସ୍ତ ବ୍ରତଚାରୀ ଭକ୍ତ (ନାରୀ, ପୁରୁଷ, କିଶୋର) ଏକ କିଲୋମିଟର ଦୂର ହାକାଣ୍ଡ ପୋଖରୀ ଠାରେ ମାଳା ଚନ୍ଦନ ହୁଅନ୍ତି । ସେଠାରେ ଚନ୍ଦନେଶ୍ୱରଙ୍କ ଚଳନ୍ତି ବିଗ୍ରହ ସ୍ଥାପିତ ଏବଂ ବିଗ୍ରହଙ୍କ ପ୍ରତୀକ ଭାବରେ ପାଟ ଉତ୍ସବ ଦିନ ସଜ୍ଜିତ ଘଟ ମନ୍ଦିରକୁ ଆସିଥାଏ । ବହୁ ଭକ୍ତ କୋଟି ଜିହ୍ଵାକୁ ଲୌହ ଶାଳକା ଵିଦ୍ଧ କରି ସେଠାରୁ ଭଜନ, କୀର୍ତ୍ତନ ଓ ନୃତ୍ୟ କରି ପଟୁଆରରେ ଆସି ମନ୍ଦିର ପରିକ୍ରମା କରନ୍ତି । ଭକ୍ତଙ୍କର ଶେଷ ଅର୍ଘ୍ୟ ଓ ଶକ୍ତି ସ୍ପର୍ଶ ସହିତ ଉଦଯାପିତ ହୁଏ ବ୍ରତ ଏବଂ ଚୈତ୍ର ଚଡକ ପର୍ବ ।












Click it and Unblock the Notifications