ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ: ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ, ବାକି ଥିଲା ୩ ଦିନ
ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ୩ଟି କାର୍ଯ୍ୟଦିବସ ବାକି ଥାଇ ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକାର୍ଯ୍ୟ ମୁଲତବୀ ହୋଇଛି । ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୨୧ଦିନ ଗୃହ ଚାଲିଛି ।
ଭୁବନେଶ୍ୱର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ୩ଟି କାର୍ଯ୍ୟଦିବସ ବାକି ଥାଇ ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକାର୍ଯ୍ୟ ମୁଲତବୀ ହୋଇଛି । ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୨୧ଦିନ ଗୃହ ଚାଲିଛି । ଗୃହରେ ମୋଟ ୧୧ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବାଧାନିକ ପଦବୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ଅଧିବେଶନରେ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ଲାଭ କରିଛି ।

ସୋମବାର ସନ୍ଧ୍ୟାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅଧିବେଶନ ଆଗୁଆ ଶେଷ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ ଓ ଶଶୀଭୂଷଣ ବେହେରା ଏହାକୁ ସମର୍ଥନ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହୋଇ ସବୁ ବିଧାୟକ ତଥା ଏହି ଅଧିବେଶନରେ ସହଯୋଗ କରିଥିବା ପ୍ରତିଟି ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ତାହା ପରେ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ସମଗ୍ର ଅଧିବେଶନରେ ଗୋଟିଏ ସିଏଜି ରିପୋର୍ଟ, ଗୃହ ବିଭାଗର ଶ୍ୱେତପତ୍ର, ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା ଓ କାଶୀପୁର ହଇଜା ପ୍ରସଙ୍ଗ ସମେତ ମୋଟ ୭ଟି ବିବୃତ୍ତି ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଛି । ଚଳିତ ଅଧିବେଶନରେ ମୋଟ ୮ଟି ବିଲ୍ ଆସିଥିବାବେଳେ ସେଥିରୁ ୭ଟି ପାରିତ ହୋଇଛି ।
ଦଶମ ବିଧାନସଭାର ଏହି ଷୋଡ଼ଶ ଅଧିବେଶନକୁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରିଚାଳନା କରିଥିଲେ। ଚଳିତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିବାବେଳେ ବିରୋଧୀ ଦଳ ବିଧାୟକମାନେ କରୋନା କଟକଣାକୁ ହଟାଇ ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ । ଏହାସହିତ ଦଳମତ ନିର୍ବିଶେଷରେ ବିଧାୟକମାନେ ନିଜ ହାତ ପାଣ୍ଠି, ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ପାଇଁ ଗୃହରେ ଦାବି ରଖିଥିଲେ ।
ଶେଷଦିନରେ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ ବୃଦ୍ଧି ନିମନ୍ତେ ବିଭିନ୍ନ ଦଳର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ କମିଟି ଗଠନ କରିଛନ୍ତି ।












Click it and Unblock the Notifications