ଭଣ୍ଡାରିପୋଖରୀରେ କାହା ପଲ୍ଲା ଭାରୀ ? ବିଜେଡ଼ି-କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢେଇ !

Assembly Elections 2024: ଭଦ୍ରକ ଲୋକସଭା ଆସନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆସନ ଭଣ୍ଡାରିପୋଖରୀ । ଚଳିତ ନିର୍ବାଚନରେ ଏହି ଆସନରେ ଲଢେଇ ରୋଚକ ହେବାକୁ ଯାଉଛି । ପ୍ରଚାର ମୈଦାନରେ ବିଜେଡ଼ି-କଂଗ୍ରେସ ମୁହାଁମୁହିଁ ହେବା ବେଳେ ଏବେ ଯାଏଁ ଚୁପ୍ ବସିଛି ବିଜେପି । ଭଣ୍ଡାରିପୋଖରୀ ଆସନ ପାଇଁ କୁଆଡ଼େ ବିଜେପିର ଅଙ୍କ ଛିଡ଼ୁନଥିବାକୁ କୁହାଯାଉଛି । ଏଥି ମଧ୍ୟରେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଏବଂ କଂଗ୍ରେସର ହେଭିୱେଟ୍ ନିରଞ୍ଜନ ପଟ୍ଟନାୟକ ପ୍ରଚାର ମୈଦାନକୁ ବେଶ୍ ସରଗରମ କରିସାରିଲେଣି ।

ତେବେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବି ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । 2019 ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ଭେଟେରାନ୍ ନେତା ପ୍ରଫୁଲ୍ଲ ସାମଲ ଓ ନିରଞ୍ଜନଙ୍କ ମଧ୍ୟରେ ଜମଦାର ଲଢ଼େଇ ଦେଖିବାକୁ ମିଳିଥିଲା । କଡ଼ା ମୁକାବିଲା ମଧ୍ୟରେ ପ୍ରଫୁଲ୍ଲ 8859 ଭୋଟ୍‌ରେ ବିଜୟୀ ହୋଇଥିଲେ । ସେହିପରି ତୃତୀୟ ସ୍ଥାନରେ ରହିଥିଲା ବିଜେପି ।

Assembly Elections 2024

କିନ୍ତୁ ପ୍ରଫୁଲ୍ଲଙ୍କୁ ଏଥର ବିଜେଡି ଭଦ୍ରକ ଆସନରୁ ପ୍ରାର୍ଥୀ କରିଛି । ତାଙ୍କ ସ୍ଥାନରେ ସଞ୍ଜୀବଙ୍କୁ ଭଣ୍ଡାରିପୋଖରୀରୁ ଛିଡ଼ା କରିଛି । ପ୍ରାର୍ଥୀ ଅଦଳବଦଳ ପଛର କାରଣ ଯାହା ଥାଉ ନା କାହିଁକି, ସଞ୍ଜୀବ କିନ୍ତୁ ଭଣ୍ଡାରିପୋଖରୀ ପାଇଁ ସମ୍ପୂର୍ଣ୍ଣ ନୂଆ । ତେଣୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମାଧ୍ୟମରେ ସେ ନିଜର କ୍ଷେତ୍ର ପ୍ରସ୍ତୁତି କରିବା ସହ ବିକାଶ ପ୍ରସଙ୍ଗକୁ ଆୟୁଧ କରି ଜନମତ ଜୁଟାଇବାରେ ଲାଗିଛନ୍ତି । ସେପଟେ ନିରଞ୍ଜନଙ୍କୁ ନେଇ କର୍ମୀମାନେ ମଧ୍ୟ ବେଶ୍‌ ଉତ୍ସାହିତ । ଗଲାଥର ମାତ୍ର ଅଳ୍ପ ବ୍ୟବଧାନରେ ହାରି ଯାଇଥିଲେ । ତେଣୁ ଏଥର ବିଜେଡ଼ରି ନୂଆ ପ୍ରାର୍ଥୀଙ୍କୁ ଚକମା ଦେଇ ଭଣ୍ଡାରିପୋଖରୀ ହାତେଇବାରେ ନିରଞ୍ଜନ ସଫଳ ହୋଇପାରନ୍ତି ବୋଲି କୁହାଯାଉଛି । ଏହାଛଡ଼ା ପୁରଖା ଓ ଅନୁଭବୀ ନେତା ଭାବେ ତାଙ୍କର ଦକ୍ଷତା କାହାକୁ ଅଛପା ନାହିଁ । ପ୍ରତିଦିନ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ କରି କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ସହ ପ୍ରଚାରକୁ ମଧ୍ୟ ଜୋରଦାର କରିଛନ୍ତି ।

ଅନ୍ୟପକ୍ଷରେ ଭଣ୍ଡାରିପୋଖରୀ ଆସନ ପାଇଁ ବିଜେପିର ନୂଆ-ପୁରୁଣା ପ୍ରାର୍ଥୀକୁ ନେଇ ଲାଗି ରହିଛି ଚର୍ଚ୍ଚା । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ ଗଠିତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ଆସି ବଦ୍ରିନାରାୟଣ ଧଳ ବିଜେପି ଟିକେଟରେ ଦୁଇ ଥର ହେବ ନିର୍ବାଚନ ଲଢୁଥିବାବେଳେ ପରାଜୟ ଛଡ଼ା କିଛି ମିଳିନି । ଏହି ବିଧାନସଭା ଆସନକୁ ଟାର୍ଗେଟ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ପରାଜୟରୁ ବର୍ତ୍ତି ପାରିନଥିଲେ । ପରେ ମନମୋହନ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଫୋକସରେ ରଖି ନିର୍ବାଚନ ଲଢିଆସୁଛନ୍ତି ।

ତେଣୁ ଭଣ୍ଡାରିପୋଖରୀ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ମଧ୍ୟ ଏଯାଏଁ ସଫଳ ହୋଇ ପାରୁନାହିଁ । ମନମୋହନ ଭଣ୍ଡାରିପୋଖରୀ ବିଧାନସଭା ଆସନ ଛାଡିବାର ଇତି ମଧ୍ୟରେ ଦୁଇ ଥର ନିର୍ବାଚନ ସରିଥିଲେ ବି ଭଣ୍ଡାରିପୋଖରୀ ଆସନରେ ଦଳ ବିଜୟର ସ୍ୱାଦ ଚାଖିପାରୁନାହିଁ । ତେଣୁ ଭଣ୍ଡାରିପୋଖରୀ ପାଇଁ ବିଜେପି ନୂଆ ମୁହଁ ଖୋଜୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

2009 ରେ ମନମୋହନ ସାମଲ ଭଣ୍ଡାରିପୋଖରୀ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ମାତ୍ର 21 ହଜାର 160 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି 2009 ରେ ବିଜେଡିର ପ୍ରଫୁଲ ସାମଲ 60 ହଜାର 250 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ବଦ୍ରିନାରାୟଣ ଧଳଙ୍କୁ 20 ହଜାର 410 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ।

ହେଲେ 2014 ନିର୍ବାଚନରେ ବଦ୍ରି କଂଗ୍ରେସ ଛାଡି ବିଜେପିରୁ ନିର୍ବାଚନ ଲଢ଼ି ପୁଣି ପରାଜିତ ହୋଇଥିଲେ । ସେ ମୋଟ 28 ହଜାର 809 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ 2014 ରେ ପ୍ରଫୁଲ ପୁନର୍ବାର 70 ହଜାର 173 ଖଣ୍ଡ ଭୋଟ ପାଇ କଂଗ୍ରେସର ସୁବ୍ରତ ଦାସଙ୍କୁ 34 ହଜାର 097 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ପୁଣି 2019 ନିର୍ବାଚନରେ ପ୍ରଫୁଲ ସାମଲ 70 ହଜାର 180 ଖଣ୍ଡ ଭୋଟ ପାଇ ପୁନର୍ବାର ନିର୍ବାଚିତ ହୋଇଥିଲେ । ତାଙ୍କୁ ଟକ୍କର ଦେଇଥିଲେ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ମାତ୍ର 8859 ଖଣ୍ଡ ଅଧିକ ଭୋଟରେ ହାରିଥିଲେ । ତେବେ ପୁନର୍ବାର ବିଜେପି ପକ୍ଷରୁ ବଦ୍ରିନାରାୟଣ ଧଳ 39 ହଜାର 141 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଯାଇଥିଲେ ।
ଯଦିଓ, 2009 ନିର୍ବାଚନ ପରେ ବଦ୍ରିଙ୍କୁ ବିଜେପି ଏହି ଆସନରେ ପ୍ରାର୍ଥୀ କରୁଛି ହେଲେ ବିଜେଡି ଏବଂ କଂଗ୍ରେସର ହାଇଭୋଲଟେଜ ଲଢେଇ ନିକଟରେ ବିଜେପି ହାର ମାନୁଛି । ତେଣୁ ଏଥର ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କ ଛିଡ଼ୁନି । 2019 ନିର୍ବାଚନରେ ବଦ୍ରି ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ବି ପରାଜିତ ହୋଇଥିଲେ । ତେବେ ବିଜେପି ନେତା ବଦ୍ରି ଧଳଙ୍କ ଏହି ହାରିବା ଟ୍ରାକକୁ ନେଇ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବ କି ନାହିଁ ପ୍ରଶ୍ନ ଉଠିଛି ।
ଯଦିଓ ବଦ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀରେ ବିଜେପିର ସାମର୍ଥ୍ୟ ବୃଦ୍ଧି ପାଇଛି । କିନ୍ତୁ, ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ନୂଆ ମୁହଁ ଖୋଜୁଛି ବୋଲି ଚର୍ଚ୍ଚା ହେଉଛି । ଶେଷ ମୁହୂର୍ତ୍ତରେ କିଛି ଦଳ ଡିଆଁ ନେତାଙ୍କୁ ଭରସା କରି ବିଜେପି ନିର୍ବାଚନକୁ ଓହ୍ଲାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିସ୍ଥଳେ 2019 ନିର୍ବାଚନରେ ଦଳର ପୂର୍ବତନ ସଂଗଠନ ମନ୍ତ୍ରୀ ତଥା ସଂଘୀୟ ନେତା ପଞ୍ଚାନନ ରାଉତ ଦଳୀୟ ଟିକେଟ ଲବିରେ ରହିଥିଲେ । ଏଥର କିନ୍ତୁ ସେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ରାଜ୍ୟସ୍ତରରେ ନହେଲେ ମଧ୍ୟ କେନ୍ଦ୍ରୀୟ ଲବିରେ ସେ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି ।

ତେବେ ଦଳୀୟ ଟିକେଟ ଲବିରେ ଥିଲେ ମଧ୍ୟ ଭଣ୍ଡାରିପୋଖରୀ ରାଜନୀତିରେ ବଦ୍ରିଙ୍କ ଭଳି ତାଙ୍କର ସେହି ଧରଣର ପ୍ରଭାବ ଥିବା ମନେ କରାଯାଇପାରୁନାହିଁ । ପଞ୍ଚାନନଙ୍କୁ ଛାଡି ଦେଲେ ଏହି ଆସନରେ ଅନ୍ୟ ଜଣେ ନେତା ଯିଏକି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନବାଗତ ସୁଧାଂଶୁ ନାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ତ ବ୍ଳକରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସୁଧାଂଶୁ ଙ୍କ ବେଶ ଦଖଲ ରହିଛି । ତାଙ୍କର ବିଜେଡି ଛାଡିବା ଏବଂ ବିଜେପିରେ ସାମିଲ ହେବା ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପିର ଏହି ଟିକେଟ୍ କସରତ ଭିତରେ ବିଜେଡ଼ି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+