ଶ୍ରୀମନ୍ଦିରରେ ଏଏସଆଇ ଟିମ: ନାଟମଣ୍ଡପରେ ଥିବା ଫାଟର କଲେ ଅନୁଧ୍ୟାନ
ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍ । ଏହାସହ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି ।
ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍ । ଏହାସହ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି । ଏଥିଲାଗି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି ।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ମରାମତି ହେବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ମରାମତି କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ରବିବାର ପୁରୀ ଗସ୍ତରେ ଆସିଛନ୍ତି। ବରିଷ୍ଠ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳ ଆଜି ଦିଲ୍ଲୀରୁ ସିଧାସଳଖ ପୁରୀରେ ଆସି ପହଞ୍ଚିଛନ୍ତି। ଏମାନେ ଶ୍ରୀମନ୍ଦିରରେ ପହଞ୍ଚି ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।
ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖାଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍ କମିଟି ଠାବ କରିଥିଲା । ସେହିଦିନରୁ ଫାଟ ମେଲୁଛି କି ନାହିଁ, ଫାଟର କିଭଳି ମରାମତି ହେବ ତାହାର କୌଣସି ନିର୍ୟ୍ୟାସ ବାହାରି ପାରିନାହିଁ ।
ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଇଆଇଟି ଚେନ୍ନାଇ ଏହାର ଅନୁଧ୍ୟାନ କରୁଛି । କିନ୍ତୁ ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନାହିଁ । ନିକଟରେ ଏହାକୁ ନେଇ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଟମଣ୍ଡପ କାମ ଆରମ୍ଭ କରିବାକୁ ଯାଉଛି ।












Click it and Unblock the Notifications