ସମସ୍ତ ହବିଷ୍ୟାଳିଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ପୁରୀ ଜିଲ୍ଲାପାଳ ଓ ଜୟନ୍ତ ଷଡ଼ଙ୍ଗୀ
ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ।
ପଞ୍ଜୀକରଣ କରି ନ ଥିବା ହବିଷ୍ୟାଳିମାନେ ରହଣି ଦାବି କରି ଆନ୍ଦୋଳନ କରୁଛନ୍ତି । ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ପହଞ୍ଚିଛନ୍ତି । ଉପଜିଲାପାଳ କହିଛନ୍ତି, ପ୍ରଥମେ ପଞ୍ଜୀକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ଦିଆଯିବ ।

ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ପୁରୀରେ ସମସ୍ୟା ଉପୁଜିବା ପରେ ଶୁକ୍ରବାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମା'ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳି ମା'ମାନେ ରହିବେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିସାରିଛି ।
ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣାରେ ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ କହିଲେ ଜିଲ୍ଲାପାଳ । ବେସମେଣ୍ଟରେ ବ୍ୟବସ୍ଥା ହେବ, ଅଧିକ ହେଲେ ଅନ୍ୟ ଧର୍ମଶାଳାରେ ରହିବେ।
ଚଳିତ ବର୍ଷ ପଞ୍ଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ଠିଆକିଆ ବେଶ, ବାଙ୍କଚୁଡା ବେଶ, ଡାଳିକିଆ ବେଶ ହେବ । ଚତୁର୍ଦ୍ଦଶୀ ତିଥି କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ପୂର୍ଣ୍ଣମୀ ଦିନ ଶ୍ରୀଜୀଉଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।












Click it and Unblock the Notifications