କାହିଁକି ନାଗାର୍ଜୁନଙ୍କୁ କୁହାଯାଏ ଅର୍ଜୁନଙ୍କ ପୁଅ ?
ମାତା ସନ୍ଧ୍ୟାବାଳୀର ନାଗକୂଳର ଏବଂ ପିତା ତୃତୀୟ ପାଣ୍ଡବ ଅର୍ଜୁନ ଉଭୟଙ୍କ ନାମ ସମ୍ମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା ।
ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କର ଶିକ୍ଷାଗୁରୁ ସାନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁ ଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଞ୍ଚ ପୁତ୍ରଙ୍କୁ ଯମପୁରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜଙ୍କୁ ସାନ୍ଦିପନୀଙ୍କ ପଞ୍ଚପୁତ୍ରଙ୍କର ପ୍ରାଣ ଭିଷା କରିଥିଲେ । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ଶଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଶ୍ରୀକୃଷ୍ଣ । ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ ମଧ୍ୟ ବ୍ରହ୍ମଲୋକରେ ପହଁଚି ପାରି ନାହାନ୍ତି । ଏହି ଦୃଶ୍ୟ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜଙ୍କୁ ପଚାରିଥିଲେ ।
ଶ୍ରୀକୃଷ୍ଣ ଦ୍ୱାରକାକୁ ଫେରି ଜ୍ୟେଷ୍ଠଭ୍ରାତା ବଳରାମଙ୍କୁ ଯମପୁରରେ ଦେଖିଥିବା ସମସ୍ତ ଦୃଶ୍ୟ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଲେ । ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦପ୍ରସ୍ଥର ରାଜା ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ପ୍ରାୟଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଲେ । କୃଷ୍ଣ-ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ । ପିତାଙ୍କର ଏତାଦୃଶ୍ୟ ଅବସ୍ଥା କଥା ଶୁଣି ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ନିଜକୁ ଧିକ୍କାର କଲେ । କେଉଁ ପ୍ରାୟଶ୍ଚିତ ଦ୍ୱାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦକୁ ଉପାୟ ଚିନ୍ତା କରିବାକୁ କହିଲେ ।
ବ୍ରହ୍ମହତ୍ୟା ଦୋଷରୁ ପିତୃମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ । ପ୍ରଥମଟି ହେଲା ପୁତ୍ର ଅବିଚ୍ଛିନ ଭାବରେ ଅନ୍ନଦାନ ହେବ । ଦ୍ୱିତୀୟଟି ହେଲା ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ । ତୃତୀୟଟି ହେଲା ଧାରା ତୀର୍ଥ କରିବା ଅର୍ଥାତ ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବା । ଚତୁର୍ଥଟି ପୁତ୍ର ଯଦି ରାଜସ୍ୱୀୟ ଯଜ୍ଞ କରିପାରେ ।
ଏହି ଚାରୋଟି ମଧ୍ୟରୁ ଯୁଧିଷ୍ଠିରଙ୍କ ପକ୍ଷରେ ରାଜ୍ୱିୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣୀୟ ହେଲା । ରାଜସ୍ୱୀୟ ଯଜ୍ଞ ପାଇଁ ଏକ ଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ । ଶତ୍ରୃମିତ୍ର ସମସ୍ତ ରାଜା ରାଜସ୍ୱୀୟ ଯଜ୍ଞରେ ଉପସ୍ଥିତ ରହିବେ ।
ଏହି କ୍ରମରେ ଅର୍ଜୁନ ପାତାଳ ପୁରରେ ପ୍ରବେଶ କରି ବାସୁକି ରାଜାଙ୍କୁ ରାଜସ୍ୱୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ । ବାସୁକି ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ । ଏକଥା ଶୁଣିଲା ପରେ ଅର୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ କରିବେ ବୋଲି କହନ୍ତେ ଅର୍ଜୁନଙ୍କ ଧନୁହୁଳ ଉପରେ ରଖିଲେ । ବାସୁକିଙ୍କର ଅନୁପସ୍ଥିତିରେ ଅର୍ଜୁନନିଜର ଧନୁରେ ପୃଥିବୀକୁ ଧାରଣ କରି ପାତାଳପୁରୀରେ ରହିଲେ । ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳୀ କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜୁନର ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ୱୀୟ ଯଜ୍ଞରେ ଯୋଗଦେବାକୁ ଆସିଲେ ।

ଇତ୍ୟବସରରେ ଅର୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ହେଲା । ବାସୁକି ରାଜ ଯଜ୍ଞ ଛାଡି ମର୍ତ୍ତ୍ୟକୁ ଫେରିଲେ । ସନ୍ଧ୍ୟାବାଳୀ ଓ ଅର୍ଜୁନର ପ୍ରେମ ସମ୍ପର୍କ ଜାଣି କନ୍ୟାକୁ ଅର୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରୀରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜୁନ ଇନ୍ଦପ୍ରସ୍ଥ ଆସିବାକୁ ମନସ୍ଥ କଲେ । ଅର୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିଶହ ଜାଣି ରାଜପ୍ରସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତ ବୋଲି ମନେ କରିବାକୁ ଅର୍ଜୁନ ପତ୍ନୀଙ୍କୁ ପ୍ରବୋଧନା ଦେଲେ । ସେହି ବୃକ୍ଷ 'ଅର୍ଜୁନ ବୃକ୍ଷ' ନାମରେ ପରିଚିତ । ପରି ଶେଷରେ ଅର୍ଜୁନ ସନ୍ଧ୍ୟାବାଳୀ ଠାରୁ ବିଦାୟ ନେଇ ମର୍ତ୍ତ୍ୟପୁରରେ ପହଞ୍ଚିଲେ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ୟାବାଳୀର ଗର୍ଭ ସଂଚାର ହୋଇଥିଲା । କୁମ୍ଭ ସଂକ୍ରାନ୍ତି ପାଞ୍ଚଦିନ, ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥୀ ରବିବାର ଦିନ ଦଶ ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମଲାଭ ହେଲା । ମାତା ସନ୍ଧ୍ୟାବାଳୀର ନାଗକୂଳର ଏବଂ ପିତା ତୃତୀୟ ପାଣ୍ଡବ ଅର୍ଜୁନ ଉଭୟଙ୍କ ନାମ ସମ୍ମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା ।












Click it and Unblock the Notifications