Get Updates
Get notified of breaking news, exclusive insights, and must-see stories!

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ବିଡ଼ି, ସିନେମା, ଖଣି (କୋଇଲାକୁ ଛାଡ଼ି) ଶ୍ରମିକମାନଙ୍କ ପିଲାଙ୍କର ପାଠପଢ଼ା ନିମନ୍ତେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍‌ ମାଟ୍ରିକ୍‌ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି ।

ଏହି ଛାତ୍ରବୃତ୍ତି ପାଇବା ଲାଗି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୩୧ ଅଗଷ୍ଟ ସୁଦ୍ଧା ଆବେଦନ କରିପାରିବେ। ଏକାଦଶରୁ ଊର୍ଦ୍ଧ୍ବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନର ଶେଷ ତାରିଖ ୩୧ ଅକ୍ଟୋବର ରଖାଯାଇଛି । ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଶ୍ରମିକଙ୍କ ପିଲାମାନେ http://scholarships.gov.in ପୋର୍ଟାଲରେ ଆବେଦନ କରିପାରିବେ।

Applications invited for annual scholarship

ବିଡ଼ି ଶ୍ରମିକ, ଲୁହାପଥର ଖଣି, ମାଙ୍ଗାନିଜ୍‌ ଓ କ୍ରୋମ୍‌ ଖଣି, ଚୂନପଥର ଖଣି, ଡୋଲୋମାଇଟ୍‌ ଖଣି, ମିକା ଖଣି ଏବଂ ସିନେ ଶ୍ରମିକଙ୍କ ପିଲାମାନେ ଏହି ବୃତ୍ତି ଯୋଜନାରେ ବାର୍ଷିକ ୧ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରିବେ। ଶ୍ରମିକମାନେ ଅତିକମରେ ଛଅ ମାସ ଏହି ବୃତ୍ତିରେ ନିୟୋଜିତ ରହିଥିବା ଆବଶ୍ୟକ। ଠିକା/ଘର ଖଟା ଶ୍ରମିକମାନେ ମଧ୍ୟ ଏହାର ଲାଭ ପାଇପାରିବେ। ମାସିକ ୧୦ହଜାରରୁ କମ୍‌ ରୋଜଗାର କରୁଥିବା ବିଡ଼ି ଶ୍ରମିକ ଓ ଖଣି ସୁପରଭାଇଜର, ୮ ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ସିନେ ଶ୍ରମିକ ଏବଂ ଆୟ ନିର୍ବିଶେଷରେ ବିଭିନ୍ନ କୌଶଳ ବର୍ଗରେ ନିୟୋଜିତ ଖଣି ଶ୍ରମିକଙ୍କର ପିଲାମାନେ ଏହି ବୃତ୍ତି ସୁବିଧା ପାଇପାରିବେ।

ଗୋଟିଏ ଥରରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ। ପତ୍ର ବିନିମୟ ଜରିଆରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ନୁହନ୍ତି। ନିୟମିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି ବୃତ୍ତି ପାଇପାରିବେ। ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଅଧ୍ୟୟନ ସମେତ ସାଧାରଣ ଓ ବୈଷୟିକ ଶିକ୍ଷା ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ। ତେବେ ପିଲାମାନେ ପାଠ ପଢ଼ୁଥିବା ଶିକ୍ଷାନୁଷ୍ଠାନ ସରକାରୀ କିମ୍ବା ସରକାରୀ ମାନ୍ୟତାପ୍ରାପ୍ତ ହୋଇଥିବା ଆବଶ୍ୟକ।

ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ବାର୍ଷିକ ୧୦୦୦ ଟଙ୍କା(ପୋଷାକ/ବହିପତ୍ର ଆଦି କିଣିବା ଲାଗି), ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୧,୫୦୦ ଟଙ୍କା, ନବମ ଓ ଦଶମ ଶ୍ରେଣୀ ପିଲା ୨ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ୩,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ । ସେହିପରି ଆଇଟିଆଇ, ପଲିଟେକ୍ନିକ୍‌, ବିଏସସି ଏଗ୍ରିକଲଚର୍‌ ସମେତ ସ୍ନାତକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୬,୦୦୦ ଟଙ୍କା ଲେଖାଏଁ ବାର୍ଷିକ ଛାତ୍ରବୃତ୍ତି ମିଳିବ । ପେସାଦାର ପାଠ୍ୟକ୍ରମ ପାଇଁ ୨୫,୦୦୦ ଟଙ୍କାର ଛାତ୍ରବୃତ୍ତି ନିର୍ଦ୍ଧାରଣ କରାଯାଇଛି । ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଉପରୋକ୍ତ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ ।

ମିଥ୍ୟା ବିବରଣୀ ପ୍ରଦାନ କରାଯାଇଥିଲେ କିମ୍ବା ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ ଛାତ୍ରବୃତ୍ତିକୁ ବାତିଲ କରି ଦିଆଯିବ। ପାଠପଢ଼ାରେ ଆଗକୁ ବଢ଼ିପାରୁନଥିବା, କିମ୍ବା ନିୟମିତ ଉପସ୍ଥାନ ବଜାୟ ରଖିପାରୁନଥିବା ଅଥବା ଶିକ୍ଷାବର୍ଷରେ କୌଣସି ଅନୁଚିତ୍‌ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀଙ୍କ ବୃତ୍ତିକୁ ବନ୍ଦ କରି ଦିଆଯିବ। ଆଗ୍ରହୀ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସେମାନଙ୍କର ସ୍ୱତନ୍ତ୍ର ମୋବାଇଲ୍‌ ନମ୍ବର, ଫଟୋ, ଶ୍ରମିକଙ୍କ ପରିଚୟପତ୍ର, ବ୍ୟାଙ୍କ ପାସ୍‌ ବୁକ୍‌ ବିବରଣୀ, ପୂର୍ବ ଶିକ୍ଷାବର୍ଷର ମାର୍କଶିଟ୍‌ କିମ୍ବା ସାର୍ଟିଫିକେଟ୍‌, କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ଆୟ ପ୍ରମାଣପତ୍ର ସହିତ ବୃତ୍ତି ଯୋଜନା ପାଇଁ ଆବେଦନ କରିପାରିବେ। ହିତାଧିକାରୀ ଛାତ୍ରଛାତ୍ରୀଙ୍କର ସ୍ୱତନ୍ତ୍ର ବ୍ୟାଙ୍କ ଏକାଉଣ୍ଟ କିମ୍ବା ପ୍ରଥମ ସ୍ଥାନରେ ଛାତ୍ରଛାତ୍ରୀଙ୍କ ନାମ ଥାଇ ଯୁଗ୍ମ ବ୍ୟାଙ୍କ ଏକାଉଣ୍ଟ ରହିଥିବା ଆବଶ୍ୟକ। ଡିବିଟି ଜରିଆରେ ବ୍ୟାଙ୍କ ଏକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ।

ଛାତ୍ରବୃତ୍ତି ସମ୍ପର୍କରେ ଅଧିକ ସହାୟତା ପାଇଁ ବିଡ଼ି ଓ ଖଣି ଶ୍ରମିକମାନେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଯୋଗ କରିପାରିବେ। ଏହାଛଡ଼ା ଭୁବନେଶ୍ୱର ଆଇଆରସି ଭିଜେଲ୍‌ ପ୍ଲଟ୍‌ ନମ୍ବର ଏନ୭/୬ଓ୭ସ୍ଥିତ କଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ, କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଉପକଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ, ରାଉରକେଲା ସେକ୍ଟର ୪ କ୍ବାର୍ଟର୍ସ ନଂ ବି/୧୪ରେ ଥିବା କଲ୍ୟାଣ ପ୍ରଶାସକଙ୍କ କାର୍ଯ୍ୟାଳୟରେ ସହାୟତା ପାଇଁ ଯୋଗାଯୋଗ କରାଯାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+