ଆଉ ତିନି ଦିନ ବଢିଲା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ପ୍ରତି ୫ ବର୍ଷରେ ହେବ ଆୟୋଜନ
ଆଉ ତିନି ଦିନ ବଢିଲା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଫଳରେ ଜନତା ମଇଦାନରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଫେବୃଆରୀ ୮ ତାରିଖରେ ଉଦଯାପିତ ହେବ ।
ଏଥିସହ ପ୍ରତି ୫ ବର୍ଷରେ ଏହି ସମ୍ମିଳନୀ ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି। ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଉଦଯାପନୀ ଦିବସ ଥିଲା। ତେବେ ଏହାର ଲୋକପ୍ରିୟତା, ଆଦୃତ ଓ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୩ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ସମ୍ମିଳନୀର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୩ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଗତକାଲି ୯୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା।
ଭାଷା ସମ୍ମିଳନୀରେ ଶୋଭା ପାଉଛି ଆମ ଭାଷାର ଅସ୍ମିତା । ଅ, ଠାରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ ଅକ୍ଷର, ଓଡିଆ ଭାଷାର ପରିଚୟ ଦେଉଛି । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକର ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି ।
ସେହିପରି ବିଶ୍ୱ ଓଡି଼ଶା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନନୀନ ପଟ୍ଟନାୟକ 'ବିଧାନସଭାରେ ଭାଷା ଆଇନ୍' ଶୀର୍ଷକ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ୧୯୪୮ ମସିହାରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠୁ ଆରମ୍ଭ କରି ୧୯୫୪ରେ ଭାଷା ଆଇନ ପାରିତ ହେବା ପର୍ଯ୍ୟନ୍ତ ତଥ୍ୟ ରହିଛି ।












Click it and Unblock the Notifications