ଆକ୍ସନ ମୋଡ୍କୁ ଆସିଛନ୍ତି ଅନୁ ଗର୍ଗ, ପ୍ରତି ମାସରେ କରିବେ ସରକାରୀ କାମର ସମୀକ୍ଷା
ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ଅନୁ ଗର୍ଗ। ସେ ପ୍ରତି ମାସ ୧୬ ତାରିଖରେ ସବୁ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବେ । ଜିଲ୍ଲାସ୍ତରରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ବିଷୟରେ ସେ ସମୀକ୍ଷା କରିବେ।

ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ବିଭିନ୍ନ ଜରୁରୀ ଦିଗକୁ ନେଇ ବିସ୍ତୃତ ସମୀକ୍ଷା ହେବ। ସବୁ ଜିଲ୍ଲାପାଳ ଏଥିରେ ଉପସ୍ଥିତ ରହିବେ । ପ୍ରତି ବିଭାଗ ପାଇଁ ୩୦ ମିନିଟ୍ ସମୟ ରହିବ। ଏହି ସୀମିତ ସମୟ ଭିତରେ ଯେପରି ସବୁ ଜରୁରୀ ପ୍ରସଙ୍ଗ (କ୍ରିଟିକାଲ୍ ଇସ୍ୟୁ) ଉପରେ ଆଲୋଚନା ସରିବ, ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗଗୁଡ଼ିକ ୧୦ ମିନିଟ୍ ଭିତରେ ପିପିଟି (ପାୱାର ପଏଣ୍ଟ ପ୍ରେଜେଣ୍ଟେସନ) ଉପସ୍ଥାପନ ସାରିବେ । ପିପିଟିରେ ସର୍ବାଧିକ ୭ଟି ସ୍ଲାଇଡ୍ ରହିବ ଓ ଏହା ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ କୁହାଯାଇଛି । ବୈଠକରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ, ତାହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଫଳରେ ଜିଲ୍ଲାପାଳମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିବେ ।
ସେହିଭଳି ବିଭାଗ ୱାରି କେଉଁ ଜିଲ୍ଲାରେ କେଉଁ ଜରୁରୀ ପ୍ରସଙ୍ଗ ବା ସମସ୍ୟା ଅଛି, ତାହା ଯୋଜନା ଓ ସଂଯୋଜନା ବିଭାଗକୁ ପଠାଇବାକୁ କୁହାଯାଇଛି । ପ୍ରତି ମାସର ୮ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ଏହା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଯଦି ମାସର ୧୬ ତାରିଖ ଛୁଟିଦିନ ବା ସୋମବାରରେ ପଡ଼େ ସେ ଦିନ ଭିସି ହେବନି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।












Click it and Unblock the Notifications