ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶା ଉପରେ ପ୍ରଭାବ ପଡିବ କି ?
ଆସୁଛି ଆଉ ଏକ ଲଘୁଚାପ । ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାହାର ପରେ ଅକ୍ଟୋବର 24ରେ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପଟି ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇପାରେ ।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର:
ଜାତୀୟ ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ମଡେଲ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ବିକାଶକୁ ସୂଚିତ କରୁଛନ୍ତି । ଯାହା ଅଧିକ ତୀବ୍ରତର ହେବ ଓ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସାଇକ୍ଲୋଜେନେସିସ୍ (ଅବପାତ) ପାଇଁ ଏକ ଅନୁକୂଳ ପରିବେଶ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବାଂଲାଦେଶ ଆଡକୁ ମୁହାଁଇବା ସମ୍ଭାବନା:
ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଆଗାମୀ ଦିନରେ ଏହାର ତୀବ୍ରତା ଓ ଦିଗ ବିଷୟରେ ଅଧିକ ଜଣାପଡିବ । ଆମେ ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛୁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ଆଶା କରାଯାଉଛି । ଏହା ଦେଶର ଉପକୂଳ ଅତିକ୍ରମ କରି ବାଂଲାଦେଶ ଆଡକୁ ମୁହାଁଇବ କି ନାହିଁ ତାହା ଆଗକୁ ଜଣାପଡିବ ।
ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାହାର:
ଅନ୍ୟପଟେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରୁ ମୌସୁମୀ ବାୟୁ ଅପସରି ଯାଇଥିବା ବେଳେ ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୭ ରୁ ୨୩ ଅକ୍ଟୋବର ମଧ୍ୟରେ ରାତି ଏବଂ ଦିନର ତାପମାତ୍ରା ସ୍ୱାଭାବିକ ରହିବ । ୨୪ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବ ବୋଲି ଆଶା କରାଯାଉଛି, କିନ୍ତୁ ଏହି ସମୟ ମଧ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ରହିବ ।












Click it and Unblock the Notifications