Get Updates
Get notified of breaking news, exclusive insights, and must-see stories!

ଆସିପାରେ ଆଉ ଏକ ବାତ୍ୟା: ୨୨ରେ ଲଘୁଚାପ, ୨୪ରେ ଅବପାତ ନେଇ ଆଇଏମ୍‌ଡିର ଆକଳନ, ୨୬ରୁ ୨୮ ତାରିଖ ଯାଏ ବର୍ଷା

ମାସ ଶେଷ ବେଳକୁ ଆସିବ କି ବାତ୍ୟା? ଅକ୍ଟୋବରରେ ବାତ୍ୟା 'ମୋନ୍ଥା' ଡରାଇଥିଲା । ଠିକ୍ ମାସେ ପରେ ନଭେମ୍ବର ୨୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଆଉ ଏକ ବାତ୍ୟା ମାଡ଼ି ଆସିବ । ଏମିତି କିଛି ଆଶଙ୍କା ଦାନା ବାନ୍ଧିଲାଣି ପାଣିପାଗ ପୂର୍ବାନୁମାନରୁ ।

ବିଶେଷଜ୍ଞଙ୍କ ଅନୁମାନ ହେଉଛି, ଓଡ଼ିଶାରେ ସିଧାସଳଖ ମାଡ଼ ନ ହେଲେ ବି ଏହାର ପ୍ରଭାବରେ ତିନି ଚାରି ଦିନ ପ୍ରବଳ ବର୍ଷା ହୋଇପାରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ଏ ଅନୁମାନ ସତ ହେଲେ ଧାନ ଫସଲ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ୨୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୨୪ ତାରିଖରେ ଅବପାତ ରୂପ ନେବ । ସମୁଦ୍ରରୁ ବଳ ଗୋଟାଇ ଆହୁରି ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

Another cyclone may arrive

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୬ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ୨୭ ତାରିଖ ରାତି ବା ୨୮ ତାରିଖ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖରେ ଥିବା ମଛଲିପଟନମ୍ରେ ଲ୍ୟାଣ୍ଡଫଲ୍ କରିପାରେ । ଉପକୂଳ ଛୁଇଁବା ମାତ୍ରେ ବାତ୍ୟା ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ୨୬ରୁ ୨୮ ତାରିଖ ଯାଏ ବର୍ଷା ଜାରି ରହିବ ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୪ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ଅଛି । ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆନ୍ଧ୍ର ଉପକୂଳକୁ ମୁହାଁଇପାରେ ବୋଲି ପ୍ରାଥମିକ ଆକଳନ କରିଛନ୍ତି । ବାତ୍ୟା ମୋନ୍ଥା ଯେଉଁଠି ସ୍ଥଳଭାଗ ଛୁଇଁଥିଲା, ଠିକ୍ ସେହି ସ୍ଥାନ (କାକିନାଡ଼ା) ଆଡ଼କୁ ମୁହାଁଇପାରେ । ତେବେ ୨୩ ତାରିଖ ବେଳକୁ ଅଧିକ ଆକଳନ କରିହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଅବପାତ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳକୁ ଗଲେ ବି ଓଡ଼ିଶାରେ ଏହାର ପ୍ରଭାବ ରହିବ । ୨୭ ତାରିଖରେ କେନ୍ଦ୍ରାପଡ଼ାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମେଘୁଆ ରହିବ । ବର୍ଷା ବି ହେବ । ୨୮ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ଅଞ୍ଚଳରେ ବର୍ଷା ହେବ । ୨୯ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହେବ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ରାତି ତାପମାତ୍ରା ବଢ଼ିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର ରାତିରେ ସିମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍ ବା ୭.୧ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ୮.୫ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ ରହିଛି । ସୋମବାର ରାତିରେ ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ ଥିଲା ।

ଅନୁଗୁଳରେ ୧୦.୬, ଭବାନୀପାଟଣା ଓ ନବରଙ୍ଗପୁରରେ ୧୧, ଝାରସୁଗୁଡ଼ାରେ ୧୧.୬, କଟକରେ ୧୪.୪ ଓ ଭୁବନେଶ୍ୱରରେ ୧୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ପ୍ରାୟ ସବୁ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି । ତେବେ ୨୬ ତାରିଖରୁ ରାତି ତାପମାତ୍ରା ପୁଣି ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ପୂର୍ବରୁ ରାଜ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଭାରତରୁ ପବନ ଆସୁଥିଲା । ଫଳରେ ଥଣ୍ଡା ଅନୁଭୂତ ହେଉଥିଲା । ଏବେ ପବନର ଦିଗ ବଦଳିଛି । ଦକ୍ଷିଣ-ପଶ୍ଚିମ, ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରୁ ପବନ ଆସୁଛି । ନିମ୍ନ ବାୟୁମଣ୍ଡଳରେ ଆର୍ଦ୍ରତା ମାତ୍ରା ବଢୁଛି । ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ବିଶେଷ ଥଣ୍ଡା ଅନୁଭୂତ ହେବନି ବୋଲି ଡ. ସାହୁ କହିଛନ୍ତି ।

ଅମଳ ସମୟରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଥିବାରୁ ଫସଲ ନଷ୍ଟ ହେବାର ଭୟ ଘାରିଛି । ଅଧିକ ବର୍ଷା ହେଲେ ଧାନ ଫସଲ ସହ ପନିପରିବା ଓ ଅନ୍ୟ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଧାନକୁ କାଟି ଶୀଘ୍ର ନିରାପଦ ସ୍ଥାନକୁ ନେଇଯିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଚିନାବାଦାମ, ସୋରିଷ, ବିରି ଭଳି ଫସଲରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ରଖିବାକୁ ସେ କହିଛନ୍ତି । ଶୀଘ୍ର ଅମଳ କରିବା ସହ ପନିପରିବା ତଳିର ଯତ୍ନ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+