କଳାରେ ନୃଶଂସତାର କଳଙ୍କ! ଜୀବନ୍ତ ଘୁଷୁରୀକୁ ମାରି ଖାଇଲେ ମଞ୍ଚ ଉପରେ ଅସୁର ଭୂମିକାରେ ଅଭିନୟ କରୁଥିବା ଅଭିନେତା
ଅସୁର ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ସତକୁ ସତ ଅସୁର ପାଲଟି ଯାଇଥିଲେ। ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ତା' ମାଂସ ଖାଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ନୃଶଂସ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆହୁରି ଆଶ୍ଚର୍ଯ୍ୟର କଥା, ଶହ ଶହ ଲୋକ ଏ ଦୃଶ୍ୟ ଦେଖୁଥିଲେ ବି କେହି ସେହି କଳାକାରମାନଙ୍କୁ ଅଟକାଇବାକୁ ପ୍ରୟାସ କରି ନଥିଲେ।
ସାଧାରଣ ଭାବେ ମଞ୍ଚରେ, ଚଳଚ୍ଚିତ୍ରରେ ଅଭିନେତାମାନଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡ଼ିଥାଏ । କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇଥାନ୍ତି ଓ କନ୍ଦାଇଥାନ୍ତି । ତେବେ ଏହା ମଧ୍ୟରେ କଳା ନାମରେ ଲାଗିଛି ଏକ ବଡ଼ କଳଙ୍କ । ନାଟକ ପରିବେଷଣ କରିବା ସମୟରେ କିଛି କଳାକାର ନୃଶଂସତାର ସବୁ ସୀମା ଟପି ଯାଇଛନ୍ତି । ଅସୁର ଭୂମିକାରେ ଅଭିନୟ କରୁଥିବା ଏହି କଳାକାରମାନେ ସତେ ଯେମିତି ସତ ସତିକା ଅସୁର ପାଲଟି ଯାଇଛନ୍ତି ।

ଖବର ମୁତାବକ, ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏଭଳି ଲଜ୍ଜାଜନକ ଘଟଣା । ପୌରାଣିକ ନାଟକ କଥାବସ୍ତୁ ପ୍ରଦର୍ଶନ କରିବା ସମୟରେ କଳାକାରମାନେ ମଞ୍ଚ ଉପରେ ସାପ ଖେଳ ସାଙ୍ଗକୁ ଜୀବନ୍ତ ଘୁଷୁରୀକୁ ଖାଇବାକୁ ପଛାଇ ନାହାନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ନଭେମ୍ବର ୨୪ ତାରିଖରେ କାଞ୍ଜି ଅଁଳା ଅବସରରେ ଦୁଇ ଦଳ ରାମାୟଣ ନାଟକ ପରିବେଷଣ କରିଥିଲେ । ସେଥିରେ ଖଲ୍ଲିକୋଟ ଥାନା ଅଞ୍ଚଳର ଏକ ନାଟ୍ୟ ସଂସଦ ତରଫରୁ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା । ଦୁଇଜଣ କଳାକାର ବିପଜ୍ଜନକ ଭାବେ ନାଗ ସାପ ପ୍ରଦର୍ଶନ କରି ଜାତୀୟ ବନ୍ୟ ପ୍ରାଣୀ ଆଇନ ୧୯୭୨ର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏନେଇ ବନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ସେହିପରି ମଞ୍ଚ ଉପରେ ଲୋକଙ୍କ ସାମ୍ନାରେ କଳାକାରମାନେ ଜୀବନ୍ତ ଘୁଷୁରୀକୁ ମାରି ତା'ର ଅନ୍ତ ବୁଜୁଳାକୁ ଖାଇଥିବା ଦେଖିବାକୁ ମିଳିଥିଲା । ନିୟମକୁ ଉଲ୍ଲଂଘନ କରି ଏଭଳି ଅମାନବୀୟ ନାଟକ ପ୍ରଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।












Click it and Unblock the Notifications