ବହୁତଳ କାର୍ ପାର୍କିଂରେ ପର୍ଯ୍ୟାପ୍ତ ସୁଯୋଗ
ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ଟିକେ ପାଇଁ ପୃଥିବୀର କୋଣ ଅନୁକୋଣରୁ ପ୍ରତିଦିନ ଲକ୍ଷାଧିକ ଶ୍ରାଦ୍ଧାଳୁ ପୁରୀ ଆସିଥାନ୍ତି । ମହାପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି କୃପା ଭିକ୍ଷା କରିଥାନ୍ତି । ଏବେ ପୁରୀର ଚିତ୍ର ବଦଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପର୍ଶରେ ପୁରୀ ଶିଖର ଛୁଉଁଛି ।
'ଅବଢ଼ା' (ଅଗମେଣ୍ଟେସନ ବେସିକ୍ ଏମିନିଟିଜ୍ ଆଣ୍ଡ୍ ଡେଭଲପମେଣ୍ଟ୍ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକଚ)ର୍ ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ତୀର୍ଥଯାତ୍ରୀ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥିରେ ଶ୍ରୀକ୍ଷେତ୍ରର ପ୍ରମୁଖ ପ୍ରବେଶସ୍ଥଳ ଜେଲ୍ ରୋଡରେ ନିର୍ମାଣ କରାଯାଇଛି ବହୁତଳ କାର୍ ପାର୍କିଂ (ମଲଟି ଲେବଲ୍ କାର୍ ପାର୍କିଂ) । ଯେଉଁଠି ଗାଡ଼ି ରଖିବାକୁ ସୁବିଧା ସହ କିଣାବିକା ପାଇଁ ଏକ ବୃହତ୍ ବଜାର ରହିଛି ।
ସୂଚନାନୁସାରେ, ମେଡିକାଲ ଛକ ନିକଟରେ ୩.୫ଏକର ଜମିରେ ଏହି ମଲ୍ଟି ଲେବଲ୍ କାର୍ ପାର୍କିଂ କରାଯାଇଛି । ଯେଉଁଥିପାଇଁ ଖର୍ଚ୍ଚ ହୋଇଛି ୮୧କୋଟି ୬୩ ଲକ୍ଷ ଟଙ୍କା । ଛତିଶଗଡ଼ର ପିଡି କନଷ୍ଟ୍ରକସନ୍ ଏହି କାମ କରିଛି । ଏଥିରେ ଲୋୟର ଗ୍ରାଉଣ୍ଡରେ ଏକକାଳୀନ ୫୦୦ ଦୁଇ ଚକିଆ ଗାଡ଼ି, ପ୍ରଥମ ମହଲାରେ ୨୫୦ଟି ଓ ଦ୍ୱିତୀୟ ମହଲାରେ ୨୫୦ଟି, ମୋଟ ୫୦୦ ଚାରି ଚକିଆ ଗାଡ଼ି ରହି ପାରିବ । ଚାରି ଚକିଆ ୪ ଘଣ୍ଟା ପାଇଁ ୫୦ ଟଙ୍କା, ୨ ଚକିଆ ୨୦ ଟଙ୍କା ଓ ତିନି ଚକିଆ ପାଇଁ ୩୦ ଯଙ୍କା ଧାର୍ଯ୍ୟ କରାଯାଇଛି । ଯାତ୍ରୀଙ୍କ କିଣାକିଣି ପାଇଁ ୩୫୦ଟି ଦୋକାନ ଘର କରାଯାଇଛି ।

ପାର୍କିଂରେ ଗାଡ଼ି ରଖିବା ପରେ ପୁରୀର ହାତ ତିଆରି ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବେ ଯାତ୍ରୀ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ସହ ପ୍ରତି ମହଲାରେ ପୁରୁଷ ଓ ମହିଳାଙ୍କ ପାଇଁ ଉଚ୍ଚମାନର ଶୌଚାଳୟ ନିର୍ମାଣ କରାଯାଇଛି । ଏଠାରେ ଯାତ୍ରୀଙ୍କ ପାଇଁ ୫ଟି ଲିଫ୍ଟ ରହିଛି । ସ୍ୱରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ନିରବଚ୍ଛିନ୍ନ ବିଜୁଳି ପାଇଁ ଡିଜି ଓ ସୋଲାର ପ୍ୟାନେଲ୍, ଅଗ୍ନି ନିରାପତ୍ତା, ପବ୍ଲିକ୍ ଆଡ୍ରେସିଂ ଏରିୟା, ଚାରି ପାଖରେ ପାର୍କର ସୁବିଧା ରହିଛି । ପୂରା କୋଠାକୁ ଖଣ୍ଡୋଲାଇଟ୍ ପଥର ଲଗାଯାଇ ଏହାକୁ ରଙ୍ଗିନ ଆଲୋକରେ ସଜା ଯାଇଛି । ଗାଡ଼ି ରଖିବା ପରେ ଯାତ୍ରୀଙ୍କୁ ଶ୍ରୀମନ୍ଦିର ନେବା ପାଇଁ ୫ଟି ଦେୟମୁକ୍ତ ବିଦ୍ୟୁତ୍ ଚାଳିତ ଗାଡ଼ି ରଖାଯାଇଛି । ତେବେ ଯାତ୍ରୀଙ୍କ ଏ ସମସ୍ତ ସେବା ଯୋଗାଇବାକୁ ୫୧ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ।
-ସରକାର ଭଲ କାମ କରିଛନ୍ତି
ବର୍ଷକୁ ମୁଁ ଅତି କମ୍ରେ ୫ଥର ପୁରୀ ଆସୁଛି । ପ୍ରତିଥର ଗାଡ଼ି ରଖିବା ପାଇଁ ସମସ୍ୟାରେ ପଡ଼ିଥାଏ । ବେଳେବେଳେ ରାସ୍ତା କଡ଼ରେ ବାହାରେ ଗାଡ଼ି ପାର୍କିଂ କରି ଯିବାକୁ ପଡ଼େ । ତେଣୁ ଗାଡ଼ି ଚୋରି ହେବାର ଭୟ ବି ଥାଏ । କିନ୍ତୁ ସରକାର ଭଲ କାମ କରିଛନ୍ତି । ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଛାତ ତଳେ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷାରେ ଗାଡ଼ି ପାର୍କିଂ କରି ବିନା ଭୟରେ ଆମେ ଠାକୁରଙ୍କ ଦର୍ଶନ କରି ଫେରିଲୁ ।
ଅରୁଣ ଭଟ୍ଟରାୟ, ଭଦ୍ରକ
ମାଗଣାରେ ଯିବା-ଆସିବା
ସରକାର ଜନସାଧାରଣଙ୍କ ପାଇଁ ଉଚ୍ଚସ୍ତରୀୟ ସେବା ଯେଗାଇ ଦେଉଛନ୍ତି । ଆମେ ଜେଲ୍ ରୋଡ୍ ପାର୍କିଂରେ ଗାଡ଼ି ରଖିବା ପରେ କେମିତି ମନ୍ଦିର ନିକଟକୁ ଯିବୁ ଚିନ୍ତାରେ ଥିଲୁ । କିନ୍ତୁ ଏଠି ବିଦ୍ୟୁତ୍ ଚାଳିତ ଗାଡ଼ିରେ ଦେୟମୁକ୍ତ ସେବା ଯୋଗାଇ ଦିଆଯାଉଛି ଜାଣିନଥିଲି । ଏଠି ଥିାବ କର୍ମଚାରୀମାନେ ଆମକୁ ମାଗଣାରେ ମନ୍ଦିର ପାଖକୁ ନେଲେ ଓ ଆଣି ଛାଡ଼ିଲେ । ବହୁତ ଭଲ ପଦକ୍ଷେପ ।
ଦୀପ୍ତି ନାୟକ, ଭୁବନେଶ୍ୱର
ଯାତ୍ରୀଙ୍କୁ ଉଚ୍ଚସ୍ତରୀୟ ସେବା
କିଛି ବର୍ଷ ଭିତରେ ପୁରୀ ସଂପୂର୍ଣ୍ଣ ବଦଳି ଯାଇଛି । ଯାତ୍ରୀଙ୍କ ପାଇଁ ସବୁପ୍ରକାର ସୁବିଧା କରାଯାଇଛି । ମୋର ପ୍ରଥମ ଅନୁଭୂତି ବହୁତ ଭଲ ଥିଲା । ଆମେ ପାର୍କିଂରେ ଗାଡ଼ି ରଖିଥିଲୁ । ସେଠାରେ ସିସିଟିଭି ଲାଗିଥିଲା ଓ ସୁରକ୍ଷାକର୍ମୀ ଗାଡ଼ିକୁ ଜଗି ରହୁଥିଲେ । ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା ଦେଖି ମନ ଖୁସି ହୋଇଗଲା । ବାହାରକୁ ଆସିବା ମାତ୍ରେ ବିଦ୍ୟୁତ୍ ଚାଳିତ ଗାଡ଼ିରେ ମନ୍ଦିର ନେଇଗଲେ । ସତରେ ଏଭଳି ଉଚ୍ଚସ୍ତରୀୟ ସେବା ଆଉ କେଉଁଠି ମିଳେନାହିଁ ।
କପିଳେଶ୍ୱର ସାହୁ, ରାଜଗାଙ୍ଗପୁର, ରାଉରକେଲା












Click it and Unblock the Notifications