ନବୀନ ବାଣ୍ଟିଥିଲେ ବିଭାଗ, ବିଷ୍ପୋରକ ବୟାନ ଦେଲେ ଅମର
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ଏଥର ବିଧାନସଭାକୁ ବିଜେଡିର ୫୧ ଜଣ ନେତା ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ବସିଥିବା ବିଜେଡି ସରକାରଙ୍କ ପ୍ରତିଟି କାର୍ଯ୍ୟ ଉପରେ କଡ଼ା ନଜର ରଖିବାକୁ ଭିନ୍ନ ଏକ କୌଶଳ ଆପଣାଇଛି । ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର ।
ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ଏହି ଦାୟିତ୍ୱ ଦେଇଛନ୍ତି । ତାଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ଭାବେ ଘେରିବା ପାଇଁ ବିଜେଡି ଏହି କୌଶଳ ଆପଣାଇଛି ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ।

ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ ନେଇ ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ । ନବୀନ ପଟ୍ଟନାୟକ ପୂର୍ବରୁ ଯଦି ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ ବୋଲି କହିଛନ୍ତି ଅମର ଶତପଥୀ । ତେବେ ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ । କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ଆଉ ନାହିଁ । ମୁଁ ଭାବୁଛି ଭଲ ଦିନ ଓଡିଶା ପାଇଁ ଆସୁଛି ବୋଲି କହିଛନ୍ତି ଅମର ।
ସେ ଆହୁରି କହିଛନ୍ତି ଯେ, ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ । ଦଳର ସୁପ୍ରିମୋ ବର୍ତ୍ତମାନ ବିଧାୟକମାନଙ୍କୁ ଯେଉଁ ଦାୟିତ୍ୱ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ଓଡ଼ିଶାରେ ଚଳିତ ଥର ନୂଆନୂଆ ପରମ୍ପରା ବି ଆରମ୍ଭ ହୋଇଛି । ଯେପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ବିରୋଧୀ ଦଳ ନେତା ଆସିବା ହେଉ କି ବିରୋଧୀ ଦଳର ନେତାଙ୍କ ଚିଠିର ଉତ୍ତର ତୁରନ୍ତ ମିଳିବା । ଏହା ଗଣତନ୍ତ୍ର ବ୍ୟବସ୍ଥାକୁ ସୁସ୍ଥ ଓ ସୁଦୃଢ କରିଥାଏ । ଏହା ଆଗକୁ ବି ବଜାୟ ରହିବାର ଆବଶ୍ୟକ ।












Click it and Unblock the Notifications