ପ୍ରବଳ ବର୍ଷାରେ ଭିଜିବ ଏହିସବୁ ଜିଲ୍ଲା , ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ରାଜ୍ୟକୁ ମୌସୁମୀ ଛୁଇଁଲା କିନ୍ତୁ ବର୍ଷାର ଦର୍ଶନ ନାହିଁ । ଓଡ଼ିଶାର ୨୪ ଜିଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ହୋଇଛି। ବାକି ୬ ଜିଲାରେ ମୌସୁମୀ ବାୟୁ ଛୁଇଁନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ ସୂଚନା ଅନୁସାରେ, ଆସନ୍ତା ୨ ଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୧୪ ଜିଲାକୁ ବିଜୁଳି ଘଡଗଡି ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଦେବଗଡ଼ ଆଦି ୨୪ ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁଛି। ସେହିଭଳି ୪ ଜିଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବାଲେଶ୍ୱରର ଅଧିକାଂଶ ଅଞ୍ଚଳ ଏବଂ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଆଦି ୨ଟି ଜିଲାର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିଛି । ବର୍ତ୍ତମାନ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୩-୪ଦିନ ମଧ୍ୟରେ ରାଜ୍ୟର ଏହି ୬ଟି ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ଉପକୂଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ ଗୁଳୁଗୁଳି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ହେବା ନେଇ କହିଛି ବିଭାଗ। ତା'ପରେ ଗୁଳୁଗୁଳି କମିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମନୋରମା ମହାନ୍ତି।












Click it and Unblock the Notifications