ନୂଆ ବର୍ଷରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ, SOP ଜାରି କଲା BMC
କରୋନା ମହାମରୀ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ଜାନୁୟାରୀ 3ରୁ ଖୋଲିବା ପାଇଁ ଅନୁମତି ଦେଇଛି ବିଏମଏସି ।
ଭୁବନେଶ୍ୱର: ନୂଆ ବର୍ଷରେ ଦିଅଁ ଦର୍ଶନ କରିବେ ରାଜଧାନୀବାସୀ । କରୋନା ମହାମରୀ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ଜାନୁୟାରୀ 3ରୁ ଖୋଲିବା ପାଇଁ ଅନୁମତି ଦେଇଛି ବିଏମଏସି । ଏନେଇ ବିଏମସି ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଏଥିପୂର୍ବରୁ ଲିଖିତ ଭାବେ ଅଣ୍ଡରଟେକିଂ ଦେବେ।
ବିଏମସିର ଏସଓପିରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଦିଗରେ ମନ୍ଦିର କର୍ତ୍ତୃପକ୍ଷ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରକୁ କେତେ ଭକ୍ତ ପ୍ରବେଶ କରିବେ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଭୁବନେଶ୍ବର ମହାନଗର ନିଗମକୁ ଜଣାଇବେ । ମନ୍ଦିର ଓ ଅନ୍ୟାନ ଧର୍ମାନୁଷ୍ଠାନ ପକ୍ଷରୁ ହସ୍ତଗତ ହୋଇଥିବା ତଥ୍ୟକୁ ପରେ ବିଏମସି ଅନୁଧ୍ୟାନ କରିବ।
ଡିସେମ୍ବର 27 ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏହାସହ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ଚର୍ଚ୍ଚଗୁଡ଼ିକୁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ । ଏହାପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।