ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିଲା କଟକଣା
ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି, ଜିଲ୍ଲାର ସମସ୍ତ ପାର୍କ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି, ଜିଲ୍ଲାର ସମସ୍ତ ପାର୍କ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ନିର୍ଦ୍ଦେଶ ଅନୁଯାୟୀ, ଏହି ୭ ଦିନ ଧର୍ମାନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍ କରାଯିବ। ତା' ସହ ଠାକୁରଙ୍କ ରୀତିନୀତି ପାଳନ ହେବ। ଧର୍ମାନୁଷ୍ଠାନ ସହିତ ଜିଲ୍ଲାର ସମସ୍ତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସେହିପରି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ପାଳନ କରିବାକୁ ମନା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୧୭୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବ୍ରହ୍ମପୁର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଲାଗିଛି କଟକଣା। ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି କଟକଣା ଲାଗୁ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ୍ ୧୬ ତାରିଖ ଯାଏ ମା'ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ।












Click it and Unblock the Notifications