ସମସ୍ତ ହାଇସ୍କୁଲକୁ ଯୋଗାଇ ଦିଆଯିବ ସ୍ମାର୍ଟ କ୍ଲାସରୁମ ଓ ୫-ଟି ସୁବିଧା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ବାବଦରେ ସମୀକ୍ଷା କରିଥିଲେ ।
ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପରେ ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ପାଖାପାଖି ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭାଗ ଅଧିନ ୧୭୩୫ଟି ବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି । ଗତ ୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି ।
ସେହିପରି ଅନୁସୂଚିତ ଜନଜାତି ଓ ଜାତି ପିଲାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ୬୨ଟି ଉତ୍ସର୍ଗୀକୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଛି । ପିଭିଟିଜି ସମ୍ପ୍ରଦାୟ ଥିବା ୧୭ଟି କ୍ଷୁଦ୍ର ପ୍ରକଳ୍ପ ଅଞ୍ଚଳରେ ୨୦୦୭-୦୮ରୁ ପ୍ରଥମରୁ ଦଶମ ଶ୍ରେଣୀର ୧୭ଟି ଉତ୍ସର୍ଗୀକୃତ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି । ସିବିଏସଇ ଏବଂ ଆଇସିଏସଇ ପାଠ୍ୟକ୍ରମରେ ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳର ବିଭିନ୍ନ ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲ କିମ୍ବା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସଂଲଗ୍ନ ଅଞ୍ଚଳରେ ନାମ ଲେଖାଇ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୫-୧୬ରୁ ଅନେ୍ୱଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।
ବର୍ତ୍ତମାନ ଏଭଳି ୮୦ଟି ହଷ୍ଟେଲ କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ଆଉ ୧୫୦୦ ଛାତ୍ରଛାତ୍ରୀ ଅନେ୍ୱଷା ଯୋଜନାରେ ସାମିଲ ହେବେ । ଆଦିବାସୀ ଉପଯୋଜନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ସିବିଏସଇ ପାଠ୍ୟକ୍ରମରେ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୯ ମସିହାରୁ ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି ।
ସିବିଏସଇ ପାଠ୍ୟକ୍ରମରେ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ରହ୍ମପୁରରେ ୨୦୧୮-୧୯ରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବିଶେଷ କରି ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଡ୍ରପଆଉଟ କରିବା ପାଇଁ ବିଭାଗ ପକ୍ଷରୁ କେବିକେ ହଷ୍ଟେଲ ଏବଂ ୧୮୮ଟି ସ୍ୱତନ୍ତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ଉତ୍ସର୍ଗ କରାଯାଇଛି । ବିଭାଗ ଅଧୀନରେ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ, ୟୁନିଫର୍ମ ଓ ଭୋଜନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ସେହିପରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପୁଷ୍ଟି ବିକାଶର ଯନି ନେବା ପାଇଁ ବାର୍ଷିକ ଶିଶୁ ପିଛା ଅତିରିକ୍ତ ୧୦୦୦ଟଙ୍କା ବ୍ୟବସ୍ଥା କରାଯାଇଛି । 'ଅଭିଭାବକ ବି ଅଂଶୀଦାର' କାର୍ଯ୍ୟକ୍ରମରେ ୪ ଲକ୍ଷ ଅଭିଭାବକ ଭାଗ ନେବେ । ବିଦ୍ୟାଳୟରେ ଖେଳକୁଦକୁ ପ୍ରୋତ୍ସାହନ ଦେବା ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ୧୪୦୫ଟି ରିଡିଂ କର୍ଣ୍ଣର ଏବଂ ୫ ଶହଟି ସ୍ମାର୍ଟ କ୍ଲାସରୁମ ବିଦ୍ୟାଳୟଗୁଡ଼ିକରେ ସ୍ଥାପନ କରାଯାଇଛି । ଆହୁରି ମଧ୍ୟ ସମସ୍ତ ୪୨୨ଟି ଉଚ୍ଚ ବିଦ୍ୟାଳୟରେ ଆଇସିଟି ଲ୍ୟାବ ରହିଛି । ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଟ୍ୟାବ ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ସେମାନେ ଆନନ୍ଦଦାୟକ ଶିକ୍ଷା ପାଇପାରିବେ ।
ଅଷ୍ଟମ ଶ୍ରେଣୀ ସହ ବିଭାଗ ଅଧିନରେ ଥିବା ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ୫-'ଟି' ସୁବିଧା ଯୋଗାଇ ଦିଆଯିବ । ମାଟ୍ରିକ ପରବର୍ତ୍ତୀ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ରହିବା ପାଇଁ ୮ଟି ଆକାଂକ୍ଷା ହଷ୍ଟେଲ ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଜନାରେ ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯିବ ।
ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ଭଳି ବିଭିନ୍ନ ବୈଷୟିକ ଶିକ୍ଷା ପାଇଁ ଆଗ୍ରହୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯାଉଛି । ବାର୍ଷିକ ୫ ଲକ୍ଷ ଏସଟି ଏବଂ ଏସସି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ୫୫୦ କୋଟି ଟଙ୍କାର ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଯଥାକ୍ରମେ ୧୦୦ଟି ଓ ୨୩ଟି ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣାଧିନ ରହିଛି ।
ମନ୍ତ୍ରୀ ସାରକା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଉଲ୍ଲେଖ କରି କହିଲେ ଯେ 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା' ଯୋଜନା ଜୀବିକା ନିର୍ବାହ ପାଇଁ ଏକ ହିତାଧିକାରୀ ସ୍ତରୀୟ ରାଜ୍ୟ ଯୋଜନା । ୨୦୨୨-୨୩ରୁ ୨୦୨୫-୨୬ମଧ୍ୟରେ ୫ ଶହ କୋଟି ଟଙ୍କା ବଜେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ଏହି ଯୋଜନା ମୁଖ୍ୟତଃ ଆଦିବାସୀ-ପ୍ରାଧାନ୍ୟ ୧୧୯ ବ୍ଲକ୍ ୯୩୧ ଗ୍ରାମ ପଞ୍ଚାୟତରେ ହିତାଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଉଛି । ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଏବଂ ରାୟଗଡା ଆଦି ୭ଟି ଜିଲ୍ଲାର ୩୦ଟି ପଛୁଆ ବ୍ଲକ ଉପରେ ଧ୍ୟାନ ଦିଆଯାଉଛି ।
ଓଡିଶା ପିଭିଟିଜି ସଶକ୍ତିକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ ଏକ ସମ୍ପ୍ରଦାୟର ମଡେଲ୍ ବା ପନ୍ଥା ଯାହାକି ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ବିଶେଷ ଭାବରେ ସମ୍ବେଦନଶୀଳ ଆଦିବାସୀ ଗୋଷ୍ଠୀର ଲକ୍ଷ୍ୟ ରଖାଯାଇଥିବା ପରିବାର ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ କରିବା । ଏହି କାର୍ଯ୍ୟକ୍ରମଟି ପିଭିଟିଜିଗୁଡ଼ିକର ୫୧ ହଜାରରୁ ଅଧିକ ପରିବାରକୁ ସିଧାସଳଖ ଉପକୃତ କରିଛି ।
୨୦୧୯-୨୦ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ଏକ କ୍ଲଷ୍ଟର ଭିତ୍ତିକ ମିଶନ୍ ଜୀବିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଆଦିବାସୀ ଚାଷୀଙ୍କ ଜୀବିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୨ ଲକ୍ଷ ୪୦ ହଜାର ପରିବାର ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିପାରିଛନ୍ତି । ଆଦିବାସୀ ଉତ୍ପାଦନର ମାର୍କେଟିଂକୁ ସୁଗମ କରିବା ଏବଂ ପ୍ରାଥମିକ ଉତ୍ପାଦକ ଏବଂ ସଂଗ୍ରହକାରୀଙ୍କ ପାଇଁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ଆଦିବାସୀ ବିକାଶ ସମବାୟ ନିଗମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ।
ଓଡ଼ିଶାର ସମସ୍ତ ପ୍ରତିଷ୍ଠିତ ଆଦିବାସୀ ବ୍ୟକ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବିଶେଷ ଭାବରେ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା, ଐତିହ୍ୟ ଏବଂ ପରିଚୟର ପ୍ରୋତ୍ସାହନ, ସଂରକ୍ଷଣ ଉପରେ ଧ୍ୟାନ ଦିଅନ୍ତି ଏବଂ ସ୍ଥାନୀୟ ସମ୍ବଳ ତଥା ପାରମ୍ପରିକ କୌଶଳକୁ ନେଇ ସମ୍ପ୍ରଦାୟର ଅଂଶଗ୍ରହଣକୁ ଗୁରୁତ୍ୱ ଦେଇଥାଏ । ୨୦୧୭ ରେ ଆରମ୍ଭ ହୋଇଥିବା ଏହି ପରିଷଦରେ ଅନୁସୁଚିତ ଜନଜାତି ଥିବା ୪୫ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ ୬୦ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତମାନ ଜିଲ୍ଲା ସଂଖ୍ୟା ୨୩ ଓ ବ୍ଲକ ସଂଖ୍ୟା ୧୭୧କୁ ବୃଦ୍ଧି ପାଇଛି ।
ଏଥିରେ ୮୪ ଲକ୍ଷରୁ ଅଧିକ ଅନୁସୁଚିତ ଜନଜାତି ଲୋକ ରହିଛନ୍ତି । ୨୦୨୩-୨୪ବର୍ଷ ପାଇଁ ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୨.୩ କୋଟି ଟଙ୍କା ବଜେଟ୍ କରାଯାଇଛି । ଏହା ଦ୍ୱାରା ଓଡିଶାରେ ରହୁଥିବା ୬୨ଟି ଆଦିବାସୀ ସମ୍ପ୍ରଦାୟର ତଥା ୧୩ଟି ଅତି ସମ୍ବେଦନଶୀଳ ଜନଜାତିଙ୍କ ଜୀବନରେ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ କହିଥିଲେ ।
୧୦୫୭ ନୃତ୍ୟ ସଂଗଠନ ଚିହ୍ନଟ କରି ନୃତ୍ୟ ପୋଷାକ ଯୋଗାଇ ଦିଆଯାଇଛି । ପ୍ରାୟ ୧୦୬୦୫ ଆଦିବାସୀ ପ୍ରତିନିଧୀ ପରିଦର୍ଶନ କରିଛନ୍ତି । ୩୬୩୦୯ ଆଦିବାସୀ କାରିଗରଙ୍କୁ କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି । ୩୦୧୯ ଆଦିବାସୀ ଯୁବ ସଂଗଠନ ଚିହ୍ନଟ କରାଯାଇ ୨୨୪୯ ସଂଗଠନକୁ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି । ରାୟଗଡା ବ୍ୟତୀତ ୮ଟି ଏସଡିସି ଜିଲ୍ଲାରେ ଆଦିବାସୀ ସଂଗ୍ରହାଳୟ ପାଇଁ ଜମି ଚିହ୍ନଟ କରାଯାଇଛି । ୬ଟି ଜିଲ୍ଲାରେ ସଂଗ୍ରହାଳୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ୫୧ ଟି ଆଦିବାସୀ ଉତ୍ସ କେନ୍ଦ୍ର ନିର୍ମାଣ କରାଯାଇଛି ।
ଆଦିବାସୀ ସଂସ୍କୃତି,ଐତିହ୍ୟ, ସାମଗ୍ରୀକୁ ପ୍ରଦର୍ଶିତ କରିବା ପାଇଁ ପ୍ରତି ବର୍ଷ 'ଆଦିବାସୀ ମେଳା', ବିଭାଗ ଅଧିନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପ୍ରତିଭା ଆବିଷ୍କାର କରିବା ପାଇଁ ରାଜ୍ୟସ୍ତରୀୟ 'ସରଗୀଫୁଲ', ଆଦିବାସୀ କଳାକାର ଏବଂ କାରିଗରଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସ୍ତରୀୟ ଆଦିବାସୀ ଚିତ୍ର ଏବଂ ହସ୍ତଶିଳ୍ପ ପ୍ରତିଯୋଗିତା ଆୟୋଜିତ ହେଉଛି ।
ବିଭାଗୀୟ ଶାସନ ସଚିବ ରୂପାରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ବିଭାଗର ସଫଳତା ଓ ବିଭିନ୍ନ ଯୋଜନାର ରୂପାୟନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସିତାଂଶୁ ରାଉତ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications