Get Updates
Get notified of breaking news, exclusive insights, and must-see stories!

"ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ କରାଯିବ"

ଭୁବନେଶ୍ଵର, ୧୨, ୧୦, ୨୦୨୩: ଅଲିଭ୍ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧ‌ିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥା'ନ୍ତି । କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସହଯୋଗ ଦିଆଯାଉଛି ଓ ଏହା ଜାରି ରହିବ ବୋଲି ଗୁରୁବାର ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ସଂପର୍କରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ୨୦୨୩-୨୪ ରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି ।

ପ୍ରଧାନ ବନ ସଂରକ୍ଷକ(ବନ୍ୟ ପ୍ରାଣୀ ) ତଥା ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ଙ୍କ ତରଫରୁ ଲୋକସେବା ଭବନରେ ଆହୁତ ଏହି ବୈଠକରେ ପ୍ରଥମେ ଗତ ୨୦୨୨ ନଭେମ୍ବର ମାସରେ ହୋଇଥ‌ିବା ବୈଠକର ନିଷ୍ପଭିର କାର୍ଯ୍ୟାନୁଷ୍ଠାନ ଏବଂ ୨୦୨୨-୨୩ ବର୍ଷରେ ନିଆଯାଇଥ‌ିବା ପଦକ୍ଷେପ ସଂପର୍କରେ ବିଶଦ୍ ସୂଚନା ଦିଆଯାଇଥିଲା ।

ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଏବଂ ଫେବୃଆରୀ ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୁଲ୍ୟାଠାରେ ପ୍ରାୟ ୬.୩୭ ଲକ୍ଷ କଇଁଛ ଏହିପରି ଉଭୟ ଗହୀରମଥା ଓ ଋଷିକୂଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ ହଜାର ଅଲିଭ୍ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା । ଗଣ ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡା ନଜର ରଖାଯାଇଥିଲା ।

Olive_Ridley

୨୦୨୩ ନଭେମ୍ବର ପହିଲାରୁ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁଭିଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ଯ ୬୬ଟି ପାଟ୍ରୋଲିଂ କ୍ୟାମ୍ପ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍ ) ଭିଏଚ୍‌ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବ । ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ । ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି । ୧୦ ନଭେମ୍ବର ୨୦୨୩ରେ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ ଏବଂ ଗୋଷ୍ଠୀ ସଂଗଠନଗୁଡିକ ସହ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କ୍ଷେତ୍ର କର୍ମକର୍ତ୍ତାମାନଙ୍କୁ ଏସଂପର୍କିତ ଆବଶ୍ୟକ ନିର୍ଦେଶ ଦିଆଯାଇଛି । ଗତ ଋତୁରେ ୪୪ଟି ଟ୍ରଲର, ୩ ଟି ଗିଲ ନେଟର, ୯ ଟି ଯାନ୍ତ୍ରିକ ଡଙ୍ଗା ଜବତ କରାଯିବା ସହ ୩୮୪ ଜଣଙ୍କୁ ଗିରଫ କରାଯାଇଥିଲା । ଜବତ ମାଛଧରା ଜାହାଜଗୁଡ଼ିକୁ ସୁରକ୍ଷିତ ରଖୁବା ପାଇଁ ରାଜନଗର ହେନ୍ତାଳ ବନ ଜଙ୍ଗଲ ଡିଭିଜନର ବରୁଣେଇ, ଗୁପ୍ତି, ସାସନପେଟା ଓ କୃଷ୍ଣପ୍ରିୟାପୁରରେ ବର୍ଡିଂ ସ୍ଥାନ ଖୋଲାଯାଇଥିଲା ।

ରାଜନଗର ବନ୍ୟପ୍ରାଣୀ, ଭଦ୍ରକ ବନ୍ୟପ୍ରାଣୀ ଓ ବ୍ରହ୍ମପୁର (ଟି) ଡିଭିଜନରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ହାଇସ୍ପିଡ୍ ବୋଟ୍ ମୁତୟନ କରାଯାଇଛି । ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ବୀପ, ପୁରୁଣାବନ୍ଧ ଇତ୍ୟାଦି ସମୁଦ୍ର ଯାତାୟାତ ପାଟ୍ରୋଲିଂର ଘାଟି ହେବ । ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ସଂପୃକ୍ତ ଡିଏଫ୍ଓମାନଙ୍କୁ ପୂର୍ବ ବର୍ଷ ଭଳି ଆବଶ୍ୟକ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଳିତ ସମୁଦ୍ର ପାଟ୍ରୋଲିଂ ଏବଂ ଆଲୋକ ନିୟନ୍ତ୍ରଣ ଆୟୋଜନ ପାଇଁ ସମସ୍ତ ଉପକୂଳ ଡିଏଫ୍ଓମାନଙ୍କ ଦ୍ବାରା ପ୍ରତିରକ୍ଷା ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ, ଉପକୂଳରେ ଥ‌ିବା ବିଭିନ୍ନ ଅନୁଷ୍ଠାନ, ମତ୍ସ୍ୟ ବିଭାଗ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ ଏବଂ ଉପକୂଳ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷଙ୍କ ସହିତ ନିୟମିତ ଭାବରେ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ । ଗଣ ଅଣ୍ଡାଦାନ ସମୟରେ ମିଜାଇଲ ପରୀକ୍ଷା ଯେପରି ବନ୍ଦ ରୁହେ, ସେଥ୍‌ପ୍ରତି ନିଶ୍ଚିତ ଦୃଷ୍ଟି ଦେବାକୁ ପ୍ରତିରକ୍ଷା ଗବେଷଣା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ' ୩୧ ତାରିଖ (ଉଭୟ ଦିନ) ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା କୌଶଳ ଦ୍ବାରା ମାଛ ଧରିବା ନିଷେଧ କରିବାକୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଏକକାଳୀନ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି । ଏ ସଂପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଡିଏଫ୍ଓମାନେ ନିୟମିତ ଭାବେ ସଚେତନତା ବୈଠକ କରିବାକୁ ବୈଠକରେ ନିଷ୍ପଭି ନିଆଯାଇଛି ।

ନଭେମ୍ବର, ୨୦୨୩ରୁ ଆରମ୍ଭ ହୋଇଥ‌ିବା ଏହି କାର୍ଯ୍ୟାନୁଷ୍ଠାନ ଅନୁସାରେ ଆଗାମୀ ମେ, ୨୦୨୪ ମଧ୍ଯରେ ସମ୍ପୃକ୍ତ ଉପକୂଳ ବନଖଣ୍ଡର ନିୟନ୍ତ୍ରଣରେ ୭ଟି ଏପିଆର ସେକ୍ସନ ଫୋର୍ସ ମୁତୟନ ରହିବେ । ତନ୍ମଧ୍ୟରେ ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଡିଭିଜନରେ ଗୋଟିଏ ଲେଖାଏଁ ଏବଂ ରାଜନଗର ଡିଭିଜନରେ ୪ ନଂ ଏପିଆର ସେକ୍ସନ ମୁତୟନ ରହିବେ । ସମସ୍ତ ସହାୟତା ଯୋଗାଇ ଦେବାକୁ ଗୃହ ବିଭାଗ ତାଳଚୁଆ ଓ ଧାମରା ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି ।

ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ ବ୍ୟତୀତ ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ସହ ମିଳିତ ପାଟ୍ରୋଲିଂ କରିବା ସହ ମତ୍ସ୍ୟ ବିଭାଗ ସ୍ଵାଧୀନ ଭାବେ ପାଟ୍ରୋଲିଂ କରିପାରିବ । ସେହି ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ଧରିବା ପାଇଁ ସେମାନେ ଓଏମ୍ଏଫ୍ଆରଏ ଅଧୀନରେ ମାମଲା ରୁଜୁ କରିପାରିବେ । ବର୍ଦ୍ଧିତ ଜରିମାନା ବ୍ୟବସ୍ଥା ସହିତ କ୍ଷତିପୂରଣ ରାଶି ବୃଦ୍ଧିକୁ ତ୍ବରାନ୍ବିତ କରାଯାଇପାରିବ । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ "ନୋ-ଫିସିଂ ଜୋନ୍" ବିଷୟରେ ସତର୍କ କରାଇବା ପାଇଁ ବିକଶିତ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ (ଏଫ୍ ଏଫ୍ ଏମ୍ ଏ) ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଗହୀରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବେଆଇନ ଭାବେ ମାଛ ଧରା ଡଙ୍ଗା ପ୍ରବେଶକୁ ରୋକିବା ପାଇଁ ପାଟ୍ରୋଲିଂ ଜାହାଜ ମାଧ୍ୟମରେ ପାଟ୍ରୋଲିଂକୁ ତ୍ବରାନ୍ବିତ କରାଯାଉଛି । ସମୁଦ୍ର କୂଳ ନିରୀକ୍ଷଣ କରିବା ପାଇଁ ବନ କର୍ମଚାରୀଙ୍କ ଦ୍ବାରା ଋତୁଭିଭିକ ଶିବିର ପାଇଁ ଆଉଟର ଷ୍ଟିଲର ଦ୍ବୀପ (ନାସି-୨)ରେ ସ୍ଥାନର ବ୍ୟବସ୍ଥା କରାଯିବ । ସମୁଦ୍ର ପାଟ୍ରୋଲିଂ ପାଇଁ ଧାମରା ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ରାଜନଗରର ମ୍ୟାନଗ୍ରୋଭ ଫରେଷ୍ଟ ଡିଭିଜନ (ବନ୍ୟପ୍ରାଣୀ) ଡିଏଫଓଙ୍କୁ ଗୋଟିଏ ଲେଖାଏଁ ସମୁଦ୍ର ଜାହାଜ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ସେହିପରି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ସମୁଦ୍ର ପାଟ୍ରୋଲିଂ ପାଇଁ ବ୍ରହ୍ମପୁର ଡିଭିଜନର ଡିଏଫଓଙ୍କୁ । ଗୋଟିଏ ସମୁଦ୍ର ଯାଉଥ‌ିବା ଜାହାଜ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଜୈବ ବିଜ୍ଞାନୀ ଏବଂ କମିଟିର ସଦସ୍ୟା ଡଃ. ପ୍ରିୟମ୍ବଦା ମହାନ୍ତି ହେଜମାଦୀ ବୈଠକରେ ଯୋଗଦେଇ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏଡ୍ ସମ୍ପର୍କିତ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଉପରେ ଦେଇଥ‌ିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏ କ୍ଷେତ୍ରରେ ଉତ୍ତମ ଗବେଷଣାରେ ଅଭିନବତ୍ବ ରଖୁଥ‌ିବା ଅନୁଷ୍ଠାନ ବା ସଂସ୍ଥାକୁ ଗବେଷଣା ଦାୟିତ୍ବ ପ୍ରଦାନ କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଥିଲେ ।

ବୈଠକରେ ପ୍ରଧାନ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟ ପ୍ରାଣୀ ୱାଡେନ୍ ଶ୍ରୀ ସୁଶାନ୍ତ ନନ୍ଦ, କୋଷ୍ଟ ଗାର୍ଡ, ଡିଆଇଜି, ପାରାଦ୍ବୀପ ୱାଇ.କେ. ସିଂ, ଗୃହ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ, ନିର୍ଦ୍ଦେଶକ, ଆଇଟିଆରଙ୍କ ସମେତ କମିଟିର ଅନ୍ୟ ସଦସ୍ୟ, ସଂପୃକ୍ତ ଅଂଚଳର ଆଂଚଳିକ ବନ ସଂରକ୍ଷକ ଓ ଜିଲ୍ଲା ବନ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+