ପୁଣି OSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ଭୁବନେଶ୍ୱର : ପୁଣି OSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । OSSCର ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଟାଣ୍ଟ୍ ପରୀକ୍ଷା ଦେବା ପରେ ହଲରୁ ବାହାରି ପାଟିତୁଣ୍ଡ କରିଛନ୍ତି ପରୀକ୍ଷାର୍ଥୀ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଛି । ନିକଟରେ ଓଏସଏସସିର ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଚାଲିଛି । ଏହି ସମୟରେ ପୁଣିଥରେ ପରୀକ୍ଷାର୍ଥୀ ଓଏସଏସସି ଦ୍ୱାରା ପରିଚାଳିତ ୟୁଏଲବି ଆକାଉଂଟାଂଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆଣିଛନ୍ତି।

ସେପଟେ ଓଏସ୍ଏସସି ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ଖୋଲୁଛି ଗୁମର । ଧରାପଡ଼ିଛି ଏହାର ମାଷ୍ଟର ମାଇଣ୍ଡ । କେବଳ ଓଡ଼ିଶା ନୁହଁ ବାହର ରାଜ୍ୟକୁ ମଧ୍ୟ ଲମ୍ବିଛି ଏହି କେଳେଙ୍କେରୀର ଚେର । ବିହାର, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ମଧ୍ୟ କଳା କାରନାମା ଚଲାଇଥିଲା ଏହାର ମାଷ୍ଟର ମାଇଣ୍ଡ ।
ମାଷ୍ଟର ମାଇଣ୍ଡ ବିଶାଲ ଚୌରାସିଆକୁ ଧରିଛି ପୋଲିସ୍ । ଏହା ପରେ ତଦନ୍ତ ସମୟରେ ବିଶାଲର କଳା କାରନାମା ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଏପରି କରିନାହିଁ ଅଭିଯୁକ୍ତ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରି ଗିରଫ ହୋଇସାରିଛି ବିଶାଲ । ଏହା ପରେ ବିଶାଲକୁ ନେଇ ଏବେ ସାମ୍ନାକୁ ଆସିଛି ବଡ ଖୁଲାସା ।
ସୂଚନାଥାଉ କି ଏହି ମାମଲାରେ ମାଷ୍ଟର ମାଇଣ୍ଡ ବିଶାଲ ସମେତ 7 ଜଣଙ୍କୁ ଗୁରୁବାର ବାଲେଶ୍ୱର ପୋଲିସ ବିହାରରୁ ଗିରଫ କରିଥିଲା । ଏହା ପୂର୍ବରୁ ଦୀଘାରୁ ଆଉ 9 ଜଣଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶାରୁ 4 ଜଣ ଗିରଫ ହୋଇଥିବା ବେଳେ ବିହାରରୁ 3 ଜଣ ଗିରଫ ହୋଇଛନ୍ତି । ପୂର୍ବରୁ 9 ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ବର୍ତ୍ତମାନ ମୋଟ୍ 16 ଜଣ ଗିରଫ ହୋଇ ସାରିଲେଣି ।
ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ ପାଇଁ ନୂଆ କରି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଏସଏସସି ଘୋଷଣା କରିଛି।
OSSC ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ନେଇ ଏସପି ସାଗରିକା ନାଥ ସୂଚନା ଦେବା ପରେ OSSC ତୁରନ୍ତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।












Click it and Unblock the Notifications