ମଧ୍ୟାହ୍ନ ଭୋଜନ ଖାଇବା ପରେ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ , ଡାକ୍ତରଖାନାରେ ଭର୍ତ୍ତି
ମଧ୍ୟାହ୍ନ ଭୋଜନ ଖାଇବା ପରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ । ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କନ୍ଧମାଳ ଓ ଅନ୍ୟଟି ବଲାଙ୍ଗିର ଜିଲ୍ଲାରେ ଘଟିଛି ।
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୬୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ପାଇଁ ଗାଁରେ ଏକ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛି। ଏହି ଘଟଣାକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

ତେବେ ପିଲାମାନେ କାହିଁକି ଅସୁସ୍ଥ ହେଲା, ତାହା ସ୍ପଷ୍ଟ ହୋଇପାରିନି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଳା ବେଳେ ଲୁଣ ବଦଳରେ ଲୁଗା ଡିଟରଜେଣ୍ଟ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଛାତ୍ରଛାତ୍ରୀମାନେ ଖାଇବା ପୂର୍ବରୁ ଡିଟରଜେଣ୍ଟ ଲଗାଇ ଥାଳି ଧୋଇଥିଲେ । କିନ୍ତୁ ଭଲ ଭାବେ ସଫା କରି ନଥିବାରୁ ସେଥିରୁ ଏମିତି ଘଟିଥାଇପାରେ ବୋଲି ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପରିହାର କହିଛନ୍ତି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରି ଦିଆଯାଇଥିଲା । ଏହାକୁ ଖାଇବା ପରେ ୩୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଶନିବାର ସ୍କୁଲେ ମଧ୍ୟାହ୍ଣ ଭୋଜନ ଦିଆଯାଇଥିଲା । ଖାଦ୍ୟ ଖାଇବା ପରେ ହଠତ୍ କିଛି ପିଲା ଅସୁସ୍ଥ ହୋଇପଡ଼ିଥିଲେ । ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କାରଣ ଜଣାପଡିନି । ଫୁଡ୍ ପଏଜନ ଯୋଗୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।












Click it and Unblock the Notifications