ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର, କହିଲେ ଭୁଲ ପାଇଁ ୩ ଦିନ କରିବେ ଉପବାସ
ସମ୍ବିତ ପାତ୍ର କରିବେ ଉପବାସ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କରିଛନ୍ତି ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଏହାସହ ଏଥିପାଇଁ ୩ ଦିନ ପାଇଁ ଉପବାସ କରିବେ ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ ।
ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।

ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଥିଲି ।
ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ । ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ'ରେ ଏହାକୁ ସମାଲୋଚନା କରିଥିଲେ। ସମ୍ବିତ ଏନେଇ ସ୍ପଷ୍ଟୀକରଣ ରଖିବା ସହ କ୍ଷମାପ୍ରାର୍ଥନା କରିଛନ୍ତି ।
ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ହେଉଛନ୍ତି ପ୍ରଧାନମନ୍ତ୍ରୀ । ସେ ମହାପ୍ରଭୁଙ୍କୁ ବହୁତ ମାନନ୍ତି । ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଲୋଡ଼ିଛନ୍ତି । ଏହି ବିଷୟରେ ଉପସ୍ଥାପନ କରିବାକୁ ଯାଇ ଗୋଟିଏ ନ୍ୟୁଜ ଚ୍ୟାନେଲରେ ଭୁଲରେ ଓଲଟା କହିଦେଇଥିଲି । ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ମୁଁ କହି ଦେଇଥିଲି। ଏହା ବହୁତ ବଡ଼ ଭୁଲ୍ ମୁଁ ଜାଣିଛି । କିନ୍ତୁ ଅଜଣାତରେ ମୁଁ କହିଦେଇଥିଲି, ମୋର ହୃଦୟ ଭିତରେ ସେମିତି କିଛି ନ ଥିଲା ।
ଅଜଣାତରେ ବି ମହାପ୍ରଭୁଙ୍କୁ ବିଷୟରେ ଏପରି କହିବା ଠିକ୍ ନୁହେଁ । କିନ୍ତୁ ଅଜଣାତରେ ଏକ ବାକ୍ୟ ବାହାରି ଯାଇଛି, ସେଥିପାଇଁ ମୁଁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ତାଙ୍କ ଚରଣ ତଳେ କ୍ଷମାପ୍ରାର୍ଥନା କରୁଛି । ମୁଁ ଏଥିପାଇଁ ୩ ଦିନ ଉପବାସ ରହି ପଶ୍ଚାତାପ କରିବି ।












Click it and Unblock the Notifications