ଏଲିଜାବେଥ ଦ୍ୱିତୀୟଙ୍କ ପରେ ଏବେ କାମିଲାଙ୍କ ମୁକୁଟରେ ଜଗନ୍ନାଥଙ୍କ ‘କୋହିନୂର’, ଫେରସ୍ତ ପାଇଁ ଉଠିଲା ଦାବି

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ତାଙ୍କର ବଡ଼ ପୁଅ ପ୍ରିନ୍ସ ଚାର୍ଲ୍ସ ଆଜି ବ୍ରିଟେନର ରାଜା ହୋଇଛନ୍ତି । ତେବେ ତାଙ୍କ ପତ୍ନୀ କାମିଲା ଏବେ କୋହିନୂର ହୀରାକୁ ତାଙ୍କ ମୁକୁଟରେ ଧାରଣ କରିବେ ।

ଭୁବନେଶ୍ବର: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ତାଙ୍କର ବଡ଼ ପୁଅ ପ୍ରିନ୍ସ ଚାର୍ଲ୍ସ ଆଜି ବ୍ରିଟେନର ରାଜା ହୋଇଛନ୍ତି । ତେବେ ତାଙ୍କ ପତ୍ନୀ କାମିଲା ଏବେ କୋହିନୂର ହୀରାକୁ ତାଙ୍କ ମୁକୁଟରେ ଧାରଣ କରିବେ । କାରଣ ପରମ୍ପରା ଅନୁଯାଇ ଭାରତରୁ ବ୍ରିଟେନ ଯାଇଥିବା ଏହି 'କୋହିନୂର' ହୀରାକୁ ବ୍ରିଟେନ ରାଜପରିବାର ମହିଳାମାନେ ଏହି ହୀରା ଧାରଣ କରନ୍ତି । ତେବେ ଏ ହେଉଛି ସେହି କୋହିନୂର ହୀରା ଯାହାକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ ରାଜା ରଣଜୀତ୍ ସିଂହ ।

Kohinoor

ସେପଟେ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛି ହ୍ୟାସଟ୍ୟାଗ କୋହିନୂର (#Kohinoor) । ଟ୍ବିଟରରେ ନେଟିଜେନ୍ସ କୋହିନୂର ହୀରାକୁ ଫେରାଇବା ଲାଗି ୟୁକେ ନିକଟରେ ଦାବି କରିଛନ୍ତି । ରାଣୀଙ୍କ ମୁକୁଟରେ ଏହି ହୀରା ଲାଗିଥିବା ବେଳେ ଏହାକୁ ଫେରସ୍ତ ପାଇଁ ଦାବି ହୋଇଛି । ଜଣେ ୟୁଜର୍ସ ଲେଖିଛନ୍ତି ରାଣୀ ଔପନିବେଶବାଦରେ ସକ୍ରିୟ ଭାଗିଦାରୀ ଥିଲେ। ଏବେ ରାଣୀ ଏଲିଜାବେଥଙ୍କ ନିଧନ ଘଟି ସାରିଛି। ତେଣୁ ଏବେ କୋହିନୂରକୁ ଭାରତ ଫେରାଇ ଆଣିବା ଉଚିତ୍। ଏମିତି ଆହୁରି ଅନେକ ୟୁଜର୍ସ ସେହି ସମାନ ଦାବିକୁ ଦୋହରାଇଛନ୍ତି।

ଭାରତରୁ ବ୍ରିଟେନ କେମିତି ଗଲା 'କୋହିନୂର' ?

ଉଲ୍ଲେଖନୀୟ ଯେ, କୋହିନୂର ହୀରାର ସନ୍ଧାନ୧୪ମ ଶତାବ୍ଦୀରେ ଭାରତର ଗୋଲକୁଣ୍ଡାର ଖଣିରୁ ମିଳିଥିଲା। ଏହି କୋହିନୂର ହୀରାର ଚମକ ଏତେ ଆକର୍ଷଣୀୟ ଥିଲା ଯେ ଏହାକୁ ହାସଲ କରିବା ପାଇଁ ରାଜାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୧୩୨୩ରେ ମହମ୍ମଦ ବିନ୍ ତୋଗଲକ ଏହି ହୀରାକୁ ପାଖରେ ରଖିଥିଲେ । ୧୫୨୬ ମସିହାରେ ମୋଗଲ ସମ୍ରାଟଙ୍କ ପାଖରେ ପହଁଚିଥିଲା କୋହିନୂର ହୀରା । ୧୭୩୯ ମସିହାରେ ନାଦୀର ଶାହା ମୟୂର ସିଂହାସନ ଓ କୋହିନୂର ହୀରାକୁ ଆଫଗାନିସ୍ତାନ ନେଇ ଯାଇଥିଲେ । ଏହାକୁ ପୁଣିଥରେ ଭାରତ ଆଣିଥିଲେ ଶିଖ ବୀର ରାଜା ରଣଜିତ ସିଂହ ।

କୋହିନୂର ହୀରା ସହ ଅପବାଦ ମଧ୍ୟ ଯୋଡ଼ି ହୋଇ ରହିଥିଲା । ଏହାକୁ ଯିଏ ଧାରଣ କରୁଥିଲା, ତାର ସର୍ବନାଶ ହେଉଥିବା ନେଇ ଏକ ବିଶ୍ୱାସ ସୃଷ୍ଟି ହୋଇଥିଲା । ଏହାର ଇତିହାସ ଜାଣିବା ପରେ ୧୮୩୦ ମସିହାରେ ରାଜା ରଣଜିତ ସିଂହ ଶ୍ରୀମନ୍ଦିରକୁ ଆସି ବଟବୃକ୍ଷ ମୂଳେ ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେ । କୋହିନୂର ଦାନ କରିବା ନେଇ ଏକ ଉଇଲ୍ ମଧ୍ୟ କରିଥିଲେ ରାଜା ରଣଜିତ ସିଂହ ।

ପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଶିଖ ସାମ୍ରାଜ୍ୟର ପତନ ହେଲା ଓ ହୀରାକୁ ବଳପୂର୍ବକ ହାସଲ କରିନେଲା କମ୍ପାନି । କମ୍ପାନି ତରଫରୁ ଏହି ହୀରାକୁ ବ୍ରିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦିଆଯାଇଥିଲା । ଫଳରେ ପୁରୀ ଆସିବା ବଦଳରେ କୋହିନୂର ଚାଲିଗଲା ଲଣ୍ଡନ । ୧୯୧୧ ମସିହାରେ କୁଇନ୍ସ ମ୍ୟାରୀଙ୍କ ମୁକୁଟରେ ସ୍ଥାନ ପାଇଥିଲା କୋହିନୂର । କାଳକ୍ରମେ ଏହି ପ୍ରଥା ଚାଲିଆସିଛି । ବ୍ରିଟେନର ରାଣୀଙ୍କ ମୁକୁଟରେ ଶୋଭା ପାଉଛି କୋହିନୂର ହୀରା ।

'କୋହ-ଇ-ନୂର' ପାର୍ସି ଭାଷାରେ ଯାହାର ଅର୍ଥ ହେଉଛି 'ଆଲୋକର ପାହାଡ଼' । ୧୦୫.୬ କ୍ୟାରେଟ୍ ଏହି ହୀରାର ଓଜନ ୨୧.୧୨ ଗ୍ରାମ । ଏହାର ଲମ୍ବ-୩.୪ ସେଣ୍ଟିମିଟର, ପ୍ରସ୍ଥ-୩.୨ ସେଣ୍ଟିମିଟର ଏବଂ ମୋଟେଇ-୧.୩ ସେଣ୍ଟିମିଟର । ଅଣ୍ଡାକାର ଆକୃତି ଏବଂ ଏହାର ୬୬ଟି ପାର୍ଶ୍ୱ ରହିଛି । ଖାଲି କୋହିନୂର ନୁହେଁ, ଭାରତରୁ ଅନେକ ମୂଲ୍ୟବାନ ଧାତୁ ମଧ୍ୟ ହଡ଼ପ କରିଛନ୍ତି ବ୍ରିଟିଶ । ଯାହାକି ଏପର୍ଯ୍ୟନ୍ତ ମଧ୍ୟ ଫେରସ୍ତ କରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+