କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ
କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ
ଯାଜପୁର: କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ । ଦୀର୍ଘ ୧୫ ଘଣ୍ଟା ଉଦ୍ଧାର କାର୍ଯ୍ୟ ପରେ ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । ଅପ୍ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ । ଆଜିଠୁ ୫ ଦିନ ଯାଏଁ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍ ରହିବନି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏପରି ନିଷ୍ପତ୍ତି ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

ଗତକାଲି ଯାତ୍ରୀ ବିଶ୍ରାମାଗାରକୁ ମାଡ଼ି ଯାଇ ୩ ଜଣଙ୍କ ଜୀବନ ନେଇଥିଲା ମାଲଗାଡ଼ି । ସୂଚନା ଅନୁସାରେ, ଗତକାଲି ସକାଳ ପ୍ରାୟ ୬ ଟା ୪୪ ମିନିଟରେ ଏକ ମାଲବାହୀ ଟ୍ରେନ୍ ଭାରସ୍ୟାମ ହରାଇ ଯାଜପୁର କୋରେଇ ଷ୍ଟେସନରେ ପଶିଯାଇଥିଲା । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ୮ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ବଗି ଗୁଡିକ ମଧ୍ୟରୁ ପ୍ରାୟ ୩ରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡି ଯାଇଥିଲା । ଘଟଣା ସ୍ଥଳରେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ କେତେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିଲା । ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଯାଇଛି ।
ଅନ୍ୟପକ୍ଷରେ ରେଳ ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି । ଏନେଇ ଟ୍ୱିଟ୍ କରି ଗତକାଲି ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେହିପରି ଏହି ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ତରଫରୁ ମୃତଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା । ଏହା ସହ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications