ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !
ବିଦେଶ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।
ଭୁବନେଶ୍ୱର: ବିଦେଶ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୟୁଏଇରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ସେଠାରୁ ସେ ଇଟାଲି ଗସ୍ତ କରିବେ ବୋଲି ଜଣାପଡିଛି । ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ରହିବ । ତେବେ ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇ ଯିବେ। ଉକ୍ତ ଦିନ ସେଠାରେ ଅୟୋଜିତ ହେବାକୁ ଥିବା ଇନଭେଷ୍ଟମେଣ୍ଟ ମିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନଭେଷ୍ଟମେଣ୍ଟ ହବ୍ ହୋଇଥିବା ବେଳେ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ। ଏହା ପରେ ଉକ୍ତ ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଦୁବାଇ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି। ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିବେଶକଙ୍କୁ ଓଡ଼ିଶାରେ ଅଧିକ ନିବେଶ ପାଇଁ ଅନୁରୋଧ କରିବେ ନବୀନ। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଅଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଜ୍ୟର କିଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଯିବେ ।
ଦୀର୍ଘ ୧୦ ବର୍ଷ ପରେ ବିଦେଶ ଦସ୍ତ କରିବେ ନବୀନ । ଶେଷଥର ପାଇଁ ୨୦୧୨ ମେ ମାସରେ ସେ ଲଣ୍ଡନ ଗସ୍ତ କରିଥିଲେ । ମାତ୍ର ନବୀନଙ୍କର ଏହି ଗସ୍ତ ଅଧାରେ ରହିଯାଇଥିଲା । ବିଜେଡିରେ ବିଦ୍ରୋହ ଯୋଗୁଁ ଗସ୍ତ ଅଧାରୁ ନବୀନଙ୍କୁ ଫେରିବାକୁ ପଡିଥିଲା । ସେ ସମୟରେ ଦଳର ଅନ୍ୟତମ କ୍ଷମତା କେନ୍ଦ୍ର ପ୍ୟାରିମୋହନ ମହାପାତ୍ରଙ୍କ ମେ ୨୯ ମିଡନାଇଟ ଅପରେସନର ସୂଚନା ପାଇ ନବୀନ ରାତାରାତି ଓଡିଶା ଫେରିଥିଲେ ।
ତେବେ ସେ ଗସ୍ତକୁ ଦଶନ୍ଧି ବିତିଗଲାଣି । ନବୀନ ଗତ ଦଶବର୍ଷ ମଧ୍ୟରେ ଅପ୍ରତିଦ୍ବନ୍ଦୀ ରହିଛନ୍ତି । ଦଳୀୟ ନେତା କଣ ବିରୋଧୀ ଦଳ ବି ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏହି ସମୟରେ ନବୀନଙ୍କ ବିଦେଶ ଗସ୍ତ ଅନେକ ଚର୍ଚ୍ଚା ସୃଷ୍ଟି କରୁଛି । ଦୀର୍ଘ 25 ବର୍ଷ ଭିତରେ ଏହା ନବୀନଙ୍କ ଦ୍ବିତୀୟ ବିଦେଶ ଗସ୍ତ ।
ଅନ୍ୟପଟେ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ, ଏହାକୁ ଇନଭେଷ୍ଟମେଣ୍ଟ ହବରେ ପରିଣତ କରିବା ଓ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ୨୦୧୬ରୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ପ୍ରତି ୨ ବର୍ଷରେ ଥରେ ଏଠାରେ କନକ୍ଲେଭ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପରେ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ସହ ବିଦେଶୀ ନିବେଶକ ଓଡ଼ିଶା ଆଡ଼େ ମୁହାଁଇବେ ବୋଲି ଜଣାପଡିଛି ।












Click it and Unblock the Notifications