ଶେଷ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି: ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼
ଶେଷ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ଅଧରପଣା ହାଣ୍ଡି ଭଙ୍ଗା ହୋଇଛି ।
ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ଅଧରପଣା ହାଣ୍ଡି ଭଙ୍ଗା ହୋଇଛି । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ, ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ହାଣ୍ଡି ଭଙ୍ଗା ହୋଇଛି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।

ରଥରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡି ଚାମଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ କରାଯାଇଛି । ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ସନ୍ଧ୍ୟା ୬ଟା ୩୦ରେ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଳାଇ ଝୁଲି ଝୁଲି ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ। ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ। ପରମ୍ପରା ଅନୁଯାୟୀ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯିବ। ଏହାପରଠାରୁ ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦ ଉପଲବ୍ଧ ହେବ। ଏହାକୁ ନୀଳାଚଳ ଅବଢା କୁହାଯାଏ।
ସୂଚନାଯୋଗ୍ୟ, ବାହୁଡା ଯାତ୍ରା ପରେ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ତ୍ରିରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା ନିୟମ ରହିଛି। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ।












Click it and Unblock the Notifications