ତଦନ୍ତ ରିପୋର୍ଟ ଆସିଲେ ଆକ୍ସନ୍ ନିଆଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ
ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା। ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ବାଲେଶ୍ବର ଯାଇଛନ୍ତି'। ତଦନ୍ତ ରିପୋର୍ଟ ଆସିଲେ ଆକ୍ସନ୍ ନିଆଯିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। କଠୋର ପଦକ୍ଷେପ ନେବାରେ ଅବହେଳା କରାଯିବ ନାହିଁ ।

ଗତକାଲି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଛାତ୍ରୀଜଣକ କମିଟିର ରିପୋର୍ଟ ସମ୍ପର୍କରେ ପଚାରିବାକୁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ଅଧ୍ୟକ୍ଷ ତାଙ୍କୁ ସମାଧାନ କରିବାକୁ ଚାପ ପକାଇବା ସହ ବଦନାମର ଭୟ ଦେଖାଇଥିଲେ ବୋଲି କୁହାଯାଉଛି। ଏହାପରେ ଛାତ୍ରୀଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଶରୀରରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁକ୍ତ ୩ର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ବିଦ୍ୟୁତ୍ ବେଗରେ ପ୍ରଚାରିତ ହେବାପରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଏସ୍ପି ରାଜପ୍ରସାଦ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଅପରାହ୍ଣ ସାଢ଼େ ୬ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରୀଙ୍କ ଅଭିଭାବକ, ଏସ୍ପି, ସାଂସଦ ପ୍ରମୁଖଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି କ'ଣ ରିପୋର୍ଟ ଦେଇଥିଲା, ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଏସ୍ପି ରାଜପ୍ରସାଦ କହିଛନ୍ତି, ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଯଦି କିଛି ତ୍ରୁଟି ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମହାବିଦ୍ୟାଳୟରେ ଗଠିତ ହୋଇଥିବା ଆଇସିସି କମିଟି ସମ୍ପର୍କରେ ପୁଲିସ ଅବଗତ ଥିଲା; ଏହାସତ୍ତ୍ବେ ପୁଲିସ ତତ୍ପରତା ଦେଖାଇ ନଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି, ପୀଡ଼ିତା ଏ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ ମଧ୍ୟ କାହିଁକି ନ୍ୟାୟ ପାଇଲେନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ପରେ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆସିଛି। କଲେଜର ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ସହକାରୀ ପ୍ରଫେସର ବ୍ୟାକ୍ ଲଗାଇ ଦେବା, ଫେଲ୍ କରିଦେବା ଆଦି ଭୟ ଦେଖାଇ ବିଭିନ୍ନ ଉପାୟରେ ହଇରାଣ କରି ଆସୁଥିଲେ। ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଗତ ୧ ତାରିଖରେ ଏ ନେଇ ଅଭିଯୋଗ କରିବା ପରେ ୨ ତାରିଖରେ ୩ ଜଣ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ମହାବିଦ୍ୟାଳୟରେ ପୁଲିସର ତଦନ୍ତ ବେଳେ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି।












Click it and Unblock the Notifications