Accident: ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ୪ ଜୀବନ
ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪ ଜୀବନ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିବା କୁହାଯାଉଛି । ଏହା ପରେ ପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା।
ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ । ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ ।

ଖବର ପାଇ ଖଡ଼ିଆଳ ପୁଲିସ ସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଚାରି ଯୁବକଙ୍କ ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ରାଜ୍ୟ ସରକାରଙ୍କ ଏକ ବସ୍ (OSRTC ବସ୍) ପାହାଡ଼ରେ ପିଟି ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ବସ୍ଟିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ପଙ୍କଡ଼ିହିରୁ ଗୁରୁଣ୍ଡିଆ ଦେଇ ବଣାଇ ଅଭିମୁଖେ ଆସୁଥିବା ବେଳେ ଘାଟିରେ ଥିବା ପାହାଡ଼ରେ ପିଟି ହୋଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।












Click it and Unblock the Notifications