ଟ୍ରକ୍ ସହ କାର ମୁହାଁମୁହିଁ ଧକ୍କା, ୪ ମୃତ ଓ ଜଣେ ଗୁରୁତର
ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା । ୪ ମୃତ ଓ ଜଣେ ଗୁରୁତର । ତିଗିରିଆ ଥାନା ନୂଆସଡ଼କ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ।
୫ ଜଣ ସାଙ୍ଗ ଗଣେଶ ପୂଜା ପାଇଁ ଖୁସି ମନରେ ବୁଲିବାକୁ ବାହାରିଥିଲେ । ହେଲେ ପ୍ରକୃତି ଆଉ କିଛି ଚାହିଁଥିଲା । ବାଟରେ ଲୁଚି ବସିଥିଲା ଯମ। ଆଉ ଗଲା ଚାରି ଜୀବନ । ଆସନ୍ତାକାଲି ଗଣେଶ ପୂଜା ଥିବା ବେଳେ ୫ ସଙ୍ଗେ ଟିକେ ବାହାରକୁ ବୁଲିବାକୁ ଯାଇଥିଲେ ।
ଆଉ କାଲି ପାଇଁ ପ୍ରସ୍ତୁତି ନେଇ ବି କଥା ହୋଇଥିଲେ । ହେଲେ ଗଲା ୪ ଜୀବନ । ଆଉ ଜଣେ ଗୁରୁତର । ପାଞ୍ଚଟି ପରିବାର ଏବେ ସାହାରା ଖୋଜୁଛି । ଚାରିଆଡେ କାନ୍ଦ ବୋବାଳି । ଘରେ ମା ଆଉ ସମ୍ଭାଳି ପାରୁନି । ତା ପୁଅ ଆଉ ନାହିଁ । ସମସ୍ତଙ୍କ ଆଖିରେ ଲୁହ ।

କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଆଜି ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରକ୍ତରଞ୍ଜିତ ହୋଇପଡିଛି ଆଠଗଡ ତିଗିରିଆ ଥାନା ନୂଆସଡ଼କ ରାସ୍ତା ।
ସୂଚନା ଅନୁସାରେ, ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ବିନ୍ଧାଣିମାର ଚନ୍ଦନ ଖଟୁଆ, ସୁବାସ ବେହେରା, ବାଣେଶ୍ୱରପଡ଼ାର ବାବୁଲି ରାଉତ ଓ ଅଭିମାନପୁରର ସିଲୁ ପୁଷ୍ଟି । ଗୁରୁତର ଆହତ ଜଣଙ୍କ ହେଉଛନ୍ତି ନୂଆପାଟଣାର ଦୀପକ ସାହୁ ।
୫ ଜଣ ଯାକ ସାଙ୍ଗ ବୁଲିବାକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି । ତିଗିରିଆ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଦୀପକ ସାହୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।












Click it and Unblock the Notifications