ଆଜି ଦୀପାବଳି ପାଇଁ ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ; କାଲିଠାରୁ ପୁଣି ସ୍ୱାଭାବିକ ହେବ
ଆଜି ଦୀପାବଳି ପାଇଁ ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ । କୌଣସି ରୁଟ୍ରେ ଚଳାଚଳ କରିବ ନାହିଁ 'ଆମ ବସ୍' । ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ । ଆସନ୍ତାକାଲିଠାରୁ ପୁଣି ସ୍ୱାଭାବିକ ହେବ 'ଆମ ବସ୍' ସେବା ।

କ୍ୟାପିଟାଲ ରିଜନ ଭୁବନେଶ୍ୱର, କଟକ, ପୁରୀ ସମେତ ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁରରେ ମଧ୍ୟ ବସ୍ ସେବା ବନ୍ଦ ରହିବ । ଏନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ସୂଚନା ଦିଆଯାଇଛି ।
ଦୀପାବଳି ଥିବାରୁ ବାଣ ପାଇଁ ଯାତ୍ରୀ ପରିବହନ ସେବାରେ ବାଧା ଉପୁଜିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ବସ୍ ପକ୍ଷରୁ ଗାଡି ଚଳାଚଳ ବନ୍ଦ ରହିବ । ସେହିପରି ଆମ ବସ୍ ସହାୟତା କେନ୍ଦ୍ର ମଧ୍ୟ ବନ୍ଦ ରହିବ । ତେବେ ୨୧ ତାରିଖ ସକାଳୁ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।
ଦୀପାବଳି ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳରେ ବଡ଼ ଅଘଟଣ
ଦୀପାବଳି ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳରେ ବଡ଼ ଅଘଟଣ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କଇଠଡ଼ା ଗ୍ରାମରେ ଦୀପାବଳୀ ପାଇଁ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ଯିବାବେଳେ ଚାଲିଗଲା ଜୀବନ। ମୃତ ଯୁବକ ଜଣଙ୍କ କଇଠଡ଼ା ଗ୍ରାମର ପିଣ୍ଟୁ ପଲେଇ(୨୭ବର୍ଷ) ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ କୈଠଡା ଗାଁର ଅନାଦି ପଲେଇଙ୍କ ପୁଅ ପିଣ୍ଟୁ ପଲେଇ ନିଜ ଘରେ ଦୀପାବଳି ପାଇଁ ବାଣ ଭିଡୁ ଥିଲେ । ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ପିଣ୍ଟୁଙ୍କ ଡାହାଣ ହାତ କହୁଣୀରୁ ଏବଂ ଡାହାଣ ଗୋଡ ଆଣ୍ଠୁ ଠାରୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ସିଡି ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଟିଣ ଛପର ଉଡି ଯାଇଥିଲା ଏବଂ କାନ୍ଥଗୁଡିକ ମଧ୍ୟ ଭୁଶୁ ପଡିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତଳ ଘରର ମଧ୍ୟ କବାଟ, ଦୁଆର ବନ୍ଧ ଭାଙ୍ଗି ଯାଇଥିବା ବେଳେ କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହୋଇଛି। ତଳ ଘରେ ଥିବା ଫ୍ରିଜଟି ମଧ୍ୟ ବିସ୍ଫୋରଣରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେବେ ସେହି ସିଡି ରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କ ପଡ଼ି ରହିଥିବା ବେଳେ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପୁଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ଅଧିକ ଛାନଭିନ୍ ଜାରି ରଖିଥିବା ଜଣା ପଡ଼ିଛି ।ମୃତ ପିଣ୍ଟୁ ବିବାହିତ ଏବଂ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଝିଅ ରହିଥିବା ଜଣାପଡ଼ିଛି।












Click it and Unblock the Notifications