ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର
ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ।

ମଙ୍ଗଳବାର ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସନ୍ଧ୍ୟା ୬ଟା ସମୟ ବେଳକୁ ଲଘୁଚାପରେ ପରିଣତ ହୋଇଛି । ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହା ସହ ୨ ତାରିଖ ରାତି ବା ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ପାରାଦୀପ ଓ ଗୋପାଳପୁର ମଧ୍ୟରେ ବା କିଛି ଦୂରରେ ଅତିକ୍ରମ କରିପାରେ । ଫଳରେ ଦଶହରା ଦିନ ରାଜ୍ୟରେ ବର୍ଷା ସମ୍ଭାବନା ବଢ଼ିଯାଇଥିବା କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ପ୍ରଥମତଃ ଅବପାତଟି ଶୀଘ୍ର ଓଡ଼ିଶା ଉପକୂଳକୁ ମୁହାଁଇବ । ଦ୍ବିତୀୟତଃ ଏହା ମଧ୍ୟ ବାୟୁମଣ୍ଡଳ ପର୍ଯ୍ୟନ୍ତ ଲମ୍ବିଛି। କିନ୍ତୁ ଲଘୁଚାପଟି ଦକ୍ଷିଣ ଆଡ଼କୁ ଢଳି ରହିଥିବାରୁ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଅଧିକ ବର୍ଷା ହେବ ।
ଆକଳନ କରାଯାଉଛି, ବୁଧବାର (ନବମୀ)ରେ ରାଜ୍ୟରେ ମୁଖ୍ୟତଃ ଶୁଖିଲା ବା ବିକ୍ଷିପ୍ତ ହାଲୁକାରୁ ସ୍ବଳ୍ପ ବର୍ଷା ହେବ । ଗୁରୁବାର (ଦଶମୀ) ଦିନ ସକାଳ ବେଳା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ (୩୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ । ଉପରବେଳା ବର୍ଷା ବଢ଼ିବ ଓ ପ୍ରାୟ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷା ହୋଇପାରେ । ବାଲେଶ୍ବର, ଭଦ୍ରକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଆଭ୍ୟନ୍ତରୀଣ କଟକ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବ ।
ଏଥିସହ ଡ. ପଶୁପାଳକ କୃଷି ପରାମର୍ଶ ଦେଇ ଧାନରେ ଦ୍ବିତୀୟ ଶୀର୍ଷ ସାର ପ୍ରୟୋଗ ପାଇଁ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।












Click it and Unblock the Notifications