ମାଡ଼ି ଆସୁଛି ମହାବାତ୍ୟା ଦାନା; ପ୍ରବଳ ବର୍ଷା ସମ୍ଭାବନା, ୬ଟି ଜିଲାକୁ ରେଡ୍ୱାର୍ନିଂ
ବାତ୍ୟା 'ଦାନା'ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସନ୍ଧ୍ୟା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜନଗର, ଧାମରା ଓ ପାରାଦ୍ୱୀପର କିଛି ଅଞ୍ଚଳରେ ବର୍ଷା ହେଉଛି । ସେହିଭଳି ଗୁରୁବାର ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର ଓ ଗଞ୍ଜାମ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାର ଦିନ ମଧ୍ୟ କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ବାତ୍ୟା ପ୍ରଭାବ ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ରହିବ। ସମ୍ଭାବ୍ୟ ବାତ୍ୟା ପାଇଁ ଧାମରା ଓ ପାରାଦ୍ୱୀପ ବନ୍ଦର ଲାଗି ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବାବେଳେ ପୁରୀ ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଅପରପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୩ ଦିନ ପାଇଁ ୨୨୦ରୁ ଊଦ୍ଧ୍ୱ ଟ୍ରେନ୍ ବାତିଲ କରାଯାଇଛି।
ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି କଟକ ବଡ଼ମେଡିକାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ମେଡିକାଲରେ ଆବଶ୍ୟକ ମୁତାବକ ଔଷଧ, ହାଲୋଜିନ୍ ବଟିକା, ଓଆରଏସ୍, ପାନୀୟଜଳ, ନିରବଚ୍ଛିନ୍ନ ବିଦୁ୍ୟତ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏହା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବାକୁ ମେଡିକାଲ ପ୍ରସ୍ତୁତ ଥିବା ନେଇ ମେଡିକାଲ କୁଳସଚିବ କହିଛନ୍ତି ।
ଅନ୍ୟପଟେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଥିବା ବେଳେ କଣ୍ଟ୍ରୋଲ ରୁମ୍ ନମ୍ବର ଗୁଡ଼ିକ ୦୬୭୧-୨୪୨-୨୦୩୨ ଓ ୨୯୯-୨୮୦୦ ଜାରି କରାଯାଇଛି । ବାତ୍ୟା ଭିତରକନିକା ଜାତୀୟ ଉଦ୍ୟାନରେ କ୍ଷତି ପହଁଞ୍ଚାଇବାର ସମ୍ଭାବନା ଥିବାରୁ ସେଠାରେ ବନ କର୍ମଚାରୀଙ୍କୁ ଆଗୁଆ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । କୁମ୍ଭୀର ଯେପରି ବାହାରକୁ ନ ଆସନ୍ତି ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ବାତ୍ୟା ସମୟରେ ପ୍ରାଣୀଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର-୧୯୬୨ ଜାରି କରାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଲା ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଜନସାଧାରଙ୍କୁ ନିବେଦନ କରିଛନ୍ତି ।












Click it and Unblock the Notifications