ଆତ୍ମ ସମର୍ପଣ କଲେ ୭୦୦ ମାଓ ସମର୍ଥକ
ଆତ୍ମ ସମର୍ପଣ କଲେ ୭୦୦ ମାଓ ସମର୍ଥକ,ଆଜି ବିଏସଏଫ୍ ଓ ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିବା ଘର ବାହୁଡା କାର୍ଯ୍ୟକ୍ରମରେ ଏମାନେ ଆତ୍ମ ସମର୍ପଣ କରିଥିଲେ
ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ମାଓ ମୁକ୍ତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଆରମ୍ଭ କରାଯାଇଥିଲା ଆଣ୍ଟି ନକ୍ସଲ ଅପରେସନ । ଯାହାକୁ ଧିରେ ଧିରେ ସଫଳତା ମଧ୍ୟ ମିଳୁଛି । ଆଜି ୭୦୦ରୁ ଉର୍ଦ୍ଧ ମାଓ ମିଲିସିଆ ଆତ୍ମ ସମର୍ପଣ କରିଛନ୍ତି । ତେବେ ଏହି ମାଓ ମିଲିସିଆ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୧୩ ଜଣ ହୋଇଥିବା ବେଳେ ଅନ୍ୟ ମାନେ ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ପଞ୍ଚାୟତ ଅନ୍ତଗତ ଖାଲଗୁଡ଼ା, ପାତ୍ରପୁଟ, ଭେଜାଗୁଡା, ବିଶୋଇଗୁଡାର ଗ୍ରାମର ବୋଲି ସୂଚନା ରହିଛି । ତେବେ ଏହି ମାଓ ମିଲିସିଆ ମାନେ ଆତ୍ମ ସମର୍ପଣ କରିବା ସହ ମାଓ ବିରୋଧି ନାରାବାଜି ମଧ୍ୟ ଦେଇଥିଲେ ।

ଆଜି ବିଏସଏଫ୍ ଓ ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିବା ଘର ବାହୁଡା କାର୍ଯ୍ୟକ୍ରମରେ ଏମାନେ ଆତ୍ମ ସମର୍ପଣ କରିଥିଲେ । ଯାହା ପରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ କ'ଣ ସୁବିଧା ମିଳିପାରିବ ସେ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା ।
ଏହି ସଭାରେ କୋରାପୁଟ ପୋଲିସ ଡିଆଜି ରାଜେଶ ପଣ୍ଡିତ, କୋରାପୁଟ ବିଏସଏଫ ଡିଆଜି ମଦନ ଲାଲ, ମାଲକାନଗିରି ଏସପିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଆତ୍ମସମର୍ପଣକାରୀ ମିଲିସିଆଙ୍କୁ ଅଧିକାରୀ ମାନଙ୍କ ତରଫରୁ ଶାଢ଼ୀ, ଲୁଙ୍ଗି, ଗାମୁଛା, ଖେଳ ଉପକରଣ ଆଦି ପ୍ରଦାନ କରାଯାଇଥିଲା । ଏହା ସହ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ଏହା ମାଲକାନଗିରି ପୋଲିସର ଏକ ବଡ଼ ସଫଳତା । ଆତ୍ମ ସମର୍ପଣ କରିଥିବା ମାଓ ସମର୍ଥକଙ୍କ ମଧ୍ୟରେ ୩୦୦ଜଣ ମାଲକାନଗିରି ଜିଲ୍ଲା ସୀମାନ୍ତ ସିନ୍ଧିଗୁଡ଼ା, ଅଣ୍ତେଇଗୁଡ଼ା, ଗଲାଗୁଡ଼ା, ପାତ୍ରପୁଟ, ଉଜନଗୁଡ଼ା ଓ ବିଶୋଇଗୁଡ଼ା ଗ୍ରାମର ହୋଇଥିବା ନେଇ ସୂଚନା । ସେହିପରି ଆନ୍ଧ୍ରପ୍ରଦେଶର ରାଙ୍ଗବେଳ ପଞ୍ଜାୟତର ପାଡାଲପୁଟ, କସପୁଟ୍ ଗାଁର ମାଓ ମିଲିସିଆ ଏହି କ୍ୟାମ୍ପରେ ଆତ୍ମ ସମର୍ପଣ କରିଛନ୍ତି ।












Click it and Unblock the Notifications