ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ତରକାରୀ ଖାଇ ମେଡିକାଲରେ ଭର୍ତ୍ତି ହେଲେ ୬୦ ଛାତ୍ରଛାତ୍ରୀ !
ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ। ଆଉ ତାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ଏକ ଅଭାବନୀୟ ଘଟଣା ଆଜି ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍ଇ ସ୍କୁଲ୍ରେ ଘଟିଛି।

ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ହୋଇଥିଲା। ସ୍କୁଲରେ ଆଜି ୧୩୨ ପିଲାଙ୍କ ଉପସ୍ଥାନ ପଡ଼ିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଦିଆଯାଇଥିଲା।
ମାତ୍ର ଭୋଜନ ଖାଇ ସାରିବାର କିଛି ସମୟ ପରେ ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ତୁରନ୍ତ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ପ୍ରଥମେ ପିଲାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବାବେଳେ ପିଲାଙ୍କୁ ପଚା ଅଣ୍ଡା ଦିଆଯାଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅଭିଯୋଗ କରିଛନ୍ତି।
ଏନେଇ ଝାରସୁଗୁଡ଼ା ବିଆରସିସି ରବୀନ୍ଦ୍ର ସାହୁ କହିଛନ୍ତି, ପିଲାଙ୍କୁ ଆଜି ଭାତ ଓ ଅଣ୍ଡା ତରକାରୀ ଦିଆଯାଇଥିଲା। ଏହାପରେ ପିଲାମାନେ ଅସୁସ୍ଥ ଥିବା ସୂଚନା ପାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବାକୁ କହିଥିଲୁ। ପିଲାମାନେ ଚିକିତ୍ସାଧୀନ ଥିବା ବେଳେ ସେମାନେ ବିପଦମୁକ୍ତ ଥିବା ଜଣାଯାଇଛି। ଅଣ୍ଡା ଟିକେ ଦୁର୍ଗନ୍ଧ ହେଉଥିବା ବେଳେ ତା' ଭିତର ଭଲ ଥିବା ପିଲାମାନେ କହିଛନ୍ତି। ଘଟଣାରୁ ତଦନ୍ତ କରୁଛୁ।












Click it and Unblock the Notifications