ବ୍ରହ୍ମପୁରରେ ୬ ହଜାର କୋଟିରେ ହେବ ୬ ଲେନ୍ ରାସ୍ତା; ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ସହରକୁ ଉପହାର ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହରର ବିକାଶ ପାଇଁ ନିର୍ମାଣ ହେବ ୧୦ଟି ରାସ୍ତା । ଆଉ ବ୍ରହ୍ମପୁରରୁ ଜୟପୁରକୁ ଯୋଡ଼ିବାକୁ ୬ ଥାକିଆ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଣଷା କରିଛନ୍ତି । ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସହର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ ଘୋଷଣା କରିଛନ୍ତି ।
ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ। ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ଏବଂ ଏଥିପାଇଁ ୫୨ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସହରର ଇଜ୍ ଅଫ୍ ଲିଭିଂ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ ।

ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି କରାଯାଇ ଏହାକୁ ଗ୍ରେଟର ବ୍ରହ୍ମପୁର ସିଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏଥିପାଇଁ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଜନାବଦ୍ଧ ଭାବେ ସମସ୍ତ ମୌଳିକ ସେବା ଯୋଗାଇ ଦେବାପାଇଁ ସହରରେ ଟାଉନ ପ୍ଲାନିଂ ବା TP Scheme ଲାଗୁ କରାଯିବ। ବର୍ତ୍ତମାନ ଦୁଇଟି TP Scheme ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ସହର ଉପକଣ୍ଠରେ ଉନ୍ନତ ସହରୀ ଭିତ୍ତିଭୂମି ବିକାଶ ହେବା ସହିତ ଜମି ମାଲିକମାନେ ମଧ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ରହ୍ମପୁର ସହରର ଖାଦ୍ୟର ପ୍ରସିଦ୍ଧିକୁ ଦେଖି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ Food Street ନିର୍ମାଣ କରାଯିବ। ଏହି ସହରର ବିକାଶ ପାଇଁ ଆଗାମୀ ଦିନରେ ଆହୁରି ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସମୃଦ୍ଧ ଓଡିଶା ଗଠନରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଭୂମିକା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ସେହିପରି ବ୍ରହ୍ମପୁର-ଜୟପୁରକୁ ସଂଯୋଗର କରି ଏକ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଶିକ୍ଷକତା ଦିନ ଗୁଡିକୁ ମନେପକାଇଥିଲେ ଏବଂ ଯେକୌଣସି ସରସ୍ଵତୀ ବିଦ୍ୟା ମନ୍ଦିରକୁ ଆସିଲେ ମୋତେ ତାହା ମୋର ଘର ବାହୁଡା ପରି ଲାଗିଥାଏ ବୋଲି କହିଥିଲେ।ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷାପ୍ରଦାନ ପାଇଁ ଏହି ବିଦ୍ୟାଳୟର ରାଜ୍ୟରେ ସୁନାମ ରହିଛି ।
ସରସ୍ୱତୀ ବିଦ୍ୟାମନ୍ଦିର ସମୂହ କେବଳ ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ । ବିଦ୍ୟାର୍ଥୀଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ । ଏହି ବିଦ୍ୟାଳୟ ଯଥାର୍ଥରେ ଏହାକୁ ପ୍ରତିପାଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଓଡ଼ିଶାରେ ଆମେ ନୂତନ ଶିକ୍ଷାନୀତି ୨୦୨୦ କୁ ଲାଗୁ କରିଛୁ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଓ ସ୍ୱାବଲମ୍ୱୀ ଭାବ ବୃଦ୍ଧି ଉଦ୍ଦେଶ୍ୟରେ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଆଧାରରେ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଆମେ ଆରମ୍ଭ କରିବାକୁ ଯାଉଛୁ ।ପ୍ରାଥମିକ ସ୍ତରରେ ପିଲାଙ୍କୁ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛୁ ।
ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ । ପ୍ରଥମ ପର୍ଯ୍ୟାୟରେ ୨୨୦୦ ସ୍କୁଲ ପାଇଁ ଅନୁମୋଦନ ଦିଆଯାଇଛି । CBSE ଏବଂ ICSE ଢାଞ୍ଚାରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ । ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକମାନ ଆହୁରି ବୃଦ୍ଧି ହେବ ।












Click it and Unblock the Notifications