କେନ୍ଦୁଝର ବିକାଶମୂଳକ କାମର ସମୀକ୍ଷା କଲେ 5T ସଚିବ:ଭୀମକୁଣ୍ଡକୁ ମିଳିବ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା
କେନ୍ଦୁଝର: କେନ୍ଦୁଝର ବିକାଶମୂଳକ କାମର ସମୀକ୍ଷା କଲେ 5T ସଚିବ । ଶିକ୍ଷାଠାରୁ ଜଳସେଚନ, ପର୍ଯ୍ୟଟନ, ଗମନାଗମନ ପରି ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ତିଆନ । ଏହା ସହ ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶ୍ରୁତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖଣି ସମୃଦ୍ଧ ବଡବିଲର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର 1400 କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଭୀମକୁଣ୍ଡକୁ ମିଳିବ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା
5T ସଚିବ ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଛନ୍ତି ।
ଚମ୍ପୁଆ 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ସମୀକ୍ଷା କଲେ
ଏହାପରେ 5ଟି ସଚିବ ଚମ୍ପୁଆ ଯାଇ ଚମ୍ପୁଆ ଏନଏସି ସ୍ଥିତ ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଜାରି ରହିଥିବା 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ବ୍ୟତୀତ 'ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ' ପ୍ରକଳ୍ପ ଚଳିତ ବର୍ଷ ଶେଷ ହେବ ବୋଲି ସେ ସୂଚନା ଦେଇଥିଲେ ।

7 ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ
ଏହାପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରି ସୂଚନା ଦେଇଥିଲେ ଯେ,ସେଠାରେ ଫ୍ଲୁଡ୍ ଲାଇଟର ବ୍ୟବସ୍ଥା ଆଗାମୀ 7 ଦିନ ମଧ୍ୟରେ କରାଯିବ । ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଏନେଇ 7 ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ
ଏହା ପରେ 5T ସଚିବ ବଡ଼ବିଲ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେ ଏନଆରସି ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ, 5ଟି ସଚିବ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମିତିର ପ୍ରଶଂସନୀୟ ପ୍ରୟାସ ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି। ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ ଏଣିକି ଆଦିବାସୀ ବିକାଶ ସମିତିର 900 ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। ଏନେଇ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବିସ୍ତୃତ ମୂଲ୍ୟାଙ୍କନ କରିବାକୁ 5T ସଚିବ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି 5T ସଚିବ ଯୋଡ଼ାଠାରେ ଥିବା ଜରାଶ୍ରମ ପରିଦର୍ଶନ କରିଥିଲେ । ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ 50 ଜଣ ଅନ୍ତେବାସୀ ରହୁଛନ୍ତି। ଯେଉଁଠି ଅନ୍ତେବାସୀଙ୍କ ସହ ସେ ମଧ୍ୟାନ୍ନ ଭୋଜନରେ କରିଥିଲେ । ଏହାପରେ 5Tସଚିବ କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ପାଳନପୂର୍ବକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
'ମିଶନ୍ ଶକ୍ତି' କାଫେ ପରିଦର୍ଶନ କଲେ
କେନ୍ଦୁଝର ସହର ସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ସେଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଆଲୋଚନା କରିଥିଲେ 5T ସଚିବ । 5ଟି ସଚିବ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା 'ମିଶନ୍ ଶକ୍ତି' କାଫେ ପରିଦର୍ଶନ କରିଥିଲେ।
5ଟି ସଚିବ ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ମନ୍ଦିର ଏବଂ ପରିସରର ନବୀକରଣ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ ଏବଂ ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ସେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।












Click it and Unblock the Notifications