ଓଡିଶାରେ ସ୍ଥାପନ ହେବ ୫ ହଜାର ମୋବାଇଲ ଟାୱାର
ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି 5G ଟେଲିକମ ସେବା । ଏଥିପାଇଁ ଓଡିଶାରେ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର । ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ ।
ଭୁବନେଶ୍ବର: ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି 5G ଟେଲିକମ ସେବା । ଏଥିପାଇଁ ଓଡିଶାରେ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର । ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ । ଏଥିପାଇଁ କେନ୍ଦ୍ର ସରକାର ମୋଟ ୫୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

କେନ୍ଦ୍ର ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟର ପ୍ରତିଟି ବିଚ୍ଛିନାଞ୍ଚଳରେ ମୋବାଇଲ୍ ନେଟୱାର୍କ ପହଞ୍ଚିବ । ଏଥିପାଇଁ ମୋଦୀ ସରକାର ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଖୁବଶୀଘ୍ର ଓଡିଶାରେ ମୋଟ୍ ୫୦୦୦ ଟାୱାର ସ୍ଥାପନ ହେବ । ସେ ଭିତରୁ ଆଜି ୧୦୦ଟି ଟାୱାର ଆରମ୍ଭ ହୋଇଛି ।
ସୂଚନା ମୁତାବକ, ଆଜି କଳାହାଣ୍ଡିରେ ୧୯ଟି , କନ୍ଧମାଳରେ ୧୨ଟି, କୋରାପୁଟରେ ୮ଟି, ମାଲକାନଗିରିରେ ୨୫ଟି , ନବରଙ୍ଗପୁରରେ ନୂଆପଡା ଓ ରାୟଗଡାକୁ ମିଶାଇ ମୋଟ୍ ୧୦୦ଟି ଟାୱାର ଉଦଘାଟିତ ହୋଇଛି । ତେବେ ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବା ସହିତ ମୋଟ ୫୦୦୦ ଟି ଟାୱାର ସ୍ଥାପନ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଓଡିଶାରେ ଆଜିଠୁ ୫ଜି ସେବା ଆରମ୍ଭ ହୋଇଛି । ୫ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ । 5G ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ ।












Click it and Unblock the Notifications