ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣଙ୍କର ମୃତ୍ୟୁ
ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣଙ୍କର ମୃତ୍ୟୁ । ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ। ଗୀତାପଡ଼ାରେ ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିବା ସୂଚନା ମିଳିଛି ।
ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରର ପ୍ରଥମ ପତ୍ନୀ ନିଜ ସ୍ୱାମୀ ଓ ପୁଅକୁ ଛାଡ଼ି ଅନ୍ୟ କାହା ସହିତ ପଳାଇଥିଲେ। ଏହାପରେ ଅବିନାଶ ଆଉ ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ବି ଦୁଇ ସନ୍ତାନ ଅଛନ୍ତି। ତେବେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୂର୍ବ ପରିବାର ସହ ପୂର୍ବରୁ ଝଗଡ଼ା ଲାଗି ରହୁଥିଲା।

ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ ୪ ଜଣ ଆସି ଅତର୍କିତ ଭାବେ ଅବିନାଶଙ୍କ ପରିବାର ସଦସ୍ୟଙ୍କୁ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଆହତ ହୋଇଛନ୍ତି । ଆଖି ପିଛୁଳାକେ ରକ୍ତର ହୋଲଇ ଖେଳିବା ପରେ ଆକ୍ରମଣକାରୀମାନେ ଅବିନାଶଙ୍କ ଦ୍ୱିତୀୟ ପତ୍ନୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ।
ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀମାନେ ଅପର ଯାଯାବର ଗୋଷ୍ଠୀର ବୋଲି ଅବିନାଶ ବୋଲି ପୁଲିସ୍ ସମ୍ମୁଖରେ କହିଛନ୍ତି।
ବର୍ତ୍ତମାନ ଦୁଇଟି ପୁଲିସ ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି । ଚାରି ପ୍ଲାଟୁନ ପୁଲିସ୍ ଫୋର୍ସ ଘଟଣାର ଛାନଭିନ କରୁଛି।












Click it and Unblock the Notifications