ଖୋଲିଲା ୪୬ ମିଶ୍ରଣ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ଭାଜପା ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍‌ଆଉଟ୍‌ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ଭାଜପା ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

schools opened
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ତଥ୍ୟ ଅନୁସାରେ, ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲଗୁଡିକର ଭିତ୍ତିଭୂମିକୁ ସଜଡା ଯାଇ ତୁରନ୍ତ ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ଢେଙ୍କାନାଳରେ ସର୍ବାଧିକ ୨୨ଟି ମିଶ୍ରଣ ସ୍କୁଲ ଖୋଲିଥିବା ବେଳେ ଦେବଗଡ ଜିଲାରେ ୧୦ଟି ସ୍କୁଲ ଖୋଲାଯାଇଛି। ସେହିପରି ବରଗଡରେ ୭, ଯାଜପୁରର ୪ ଏବଂ ଖୋର୍ଦ୍ଧାର ୩ଟି ସ୍କୁଲ ଖୋଲିଛି। ଏହାବାଦ୍‌ ଯାଜପୁରର ବିଞ୍ଝାରପୁର, ଖୋର୍ଦ୍ଧାର ବାଣପୁର, ଦେବଗଡ଼ର ରିଆମାଳ ଏବଂ ତେଲେଇବଣୀ ସ୍କୁଲ ଖୋଲାଯିବାକୁ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି।
ଶିକ୍ଷକ, ଭିତ୍ତିଭୂମି ଏବଂ ପାଠପଢ଼ା ଭଳି ବିଭିନ୍ନ ସମସ୍ୟା ଲାଗି ରହିବାରୁ ପୂର୍ବ ସରକାର କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ପାଖ ସରକାରୀ ସ୍କୁଲରେ ମିଶ୍ରଣ କରିଥିଲେ। ମିଶ୍ରଣ ପାଇଁ ନିର୍ଦ୍ଦେଶ ଥିବା ୭୭୫୧ଟି ସ୍କୁଲ ମଧ୍ୟରୁ ଗତ ୧୦ ତାରିଖ ସୁଦ୍ଧା ୫୬୩୦ଟି ସମ୍ପୂର୍ଣ୍ଣ ଭାବେ ମିଶ୍ରଣ ହୋଇଥିଲା। ଏହି ପ୍ରକ୍ରିୟାରେ ରାଜ୍ୟରେ ଅନେକ ପୁରୁଣା ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି। କୋମଳମତି ପିଲାମାନେ ଅନ୍ୟ ଗାଁକୁ ପାଠପଢ଼ିବାକୁ ଯିବାବେଳେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଦୀନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଥିବାରୁ ଓ ସ୍କୁଲ ଦୂର ହେଉଥିବାରୁ ବହୁ ପିଲା ଇତିମଧ୍ୟରେ ପାଠପଢ଼ା ବନ୍ଦ କରିଦେଇଥିବା ଜଣାପଡିଛି। ତେଣୁ ତୁରନ୍ତ ମିଶ୍ରଣ ସ୍କୁଲଗୁଡିକୁ ଅଲଗା କରି ପୁଣି ଖୋଲିବା ପାଇଁ ଅଭିଭାବକ ସଂଘ ସମେତ ବହୁ ସଙ୍ଗଠନ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଆସୁନ୍ତି। ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ହେଉଥିବା ମିଶ୍ରଣ ହୋଇଥିବା ସ୍କୁଲ୍‌ଗୁଡିକୁ ପୁଣି ସ୍ବତନ୍ତ୍ର ଭାବେ ଖୋଲିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେଉଁଠାରେ ଭୌଗୋଳିକ ସ୍ଥିତି ଜଟିଳ ଥିବ, ସେକ୍ଷେତ୍ରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦ଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ବିଚାରକୁ ନେଇ ବିଦ୍ୟାଳୟ ଖୋଲା ଯିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ତଥା ସଂରକ୍ଷିତ ଅଞ୍ଚଳରେ ୨୦ ଏବଂ ଅଣସଂରକ୍ଷଣ ଅଞ୍ଚଳରେ ୪୦ ଜଣ ଛାତ୍ରୀଛାତ୍ର ଥିଲେ ସ୍କୁଲ ଖୋଲାଯାଇ ପାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।

ମିଶ୍ରଣ ହୋଇଛି ୫୬୩୦ ସ୍କୁଲ

ମିଶ୍ରଣ ହୋଇଥିବା ୫୬୩୦ ସ୍କୁଲ ମଧ୍ୟରୁ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୪୫୭ ସ୍କୁଲ ରହିଥିବା ବେଳେ ପୁରୀରେ ଗୋଟିଏ ବି ସ୍କୁଲ ମିଶ୍ରଣ ହୋଇନାହିଁ। ସେହିପରି କଟକରେ ୪୫୨, ଗଜପତିରେ ୪୨୬, କୋରାପୁଟରେ ୩୪୬, ଗଞ୍ଜାମରେ ୩୩୪, ଯାଜପୁରରେ ୩୦୯, କନ୍ଧମାଳରେ ୨୭୮, ବରଗଡରେ ୨୫୦, ଭଦ୍ରକରେ ୨୦୭, କେନ୍ଦ୍ରାପଡାରେ ୨୦୩, ଢେଙ୍କାନାଳରେ ୧୯୨, ଜଗତ୍‌ସିଂହପୁରରେ ୧୯୦, ସମ୍ବଲପୁରରେ ୧୬୦, ସୁନ୍ଦରଗଡରେ ୧୩୬, ରାୟଗଡାରେ ୧୨୧, ନୂଆପଡାରେ ୧୧୭, ନବରଙ୍ଗପୁର୧୩୪, ଖୋର୍ଦ୍ଧାରେ ୧୫୬, କଳାହାଣ୍ଡିରେ ୧୫୫, ବୌଦ୍ଧରେ ୧୧୦, ବଲାଙ୍ଗୀରରେ ୧୩୯, ଅନୁଗୋଳରେ ୧୬୬, ବାଲେଶ୍ୱରରେ ୧୧୮, ନୟାଗଡରେ ୯୯, ସୋନପୁରରେ ୬୮, ମାଲକାନଗିରି ଓ କେନ୍ଦୁଝରରେ ୮୪, ଝାରସୁଗୁଡା ୭୦ ଏବଂ ଦେବଗଡରେ ୬୯ଟି ସ୍କୁଲକୁ ମିଶ୍ରଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+