ଫୁଲୁଛି ମହାନଦୀ: ହୀରାକୁଦରେ ଖୋଲିଲାଣି ୩୪ ଗେଟ୍, ଆହୁରି ଖୋଲିବ
ଉପମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦର ଜଳସ୍ତର । ଏବେ ଯାଏଁ ହୀରାକୁଦ ଜଳ ଭଣ୍ଡାର ୩୪ଟି ଗେଟ୍ ଖୋଲି ସାରିଥିବା ବେଳେ ଆଗକୁ ଆହୁରି ଗେଟ୍ ଖୋଲିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।
ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ଉପମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦର ଜଳସ୍ତର । ଏବେ ଯାଏଁ ହୀରାକୁଦ ଜଳ ଭଣ୍ଡାର ୩୪ଟି ଗେଟ୍ ଖୋଲି ସାରିଥିବା ବେଳେ ଆଗକୁ ଆହୁରି ଗେଟ୍ ଖୋଲିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ହୀରାକୁଦର ତଳ ଓ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ଶେଷ ଅପଡେଟ୍ ସୁଦ୍ଧା ରବିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୬ ଫୁଟ୍ ରହିଥିଲା । ଜଳଭଣ୍ଡାରକୁ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ୫, ୬୧,୦୫୪ କ୍ୟୁସେକ ନିଷ୍କାସିତ ହେଉଥିଲା। ଖଇରମାଲଠାରେ ୯ ଲକ୍ଷ ୧୦ ହଜାର କ୍ୟୁସେକ, ବାରମୂଳଠାରେ ୯ ଲକ୍ଷ ୮ହଜାର ୯୮୮ କ୍ୟୁସେକ ଓ ମୁଣ୍ଡୁଳୀଠାରେ ୫ ଲକ୍ଷ ୩୭ ହଜାର ୦୮୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।
ତେବେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ମୁଣ୍ଡଳୀରେ ସନ୍ଧ୍ୟା ୭ଟା ସୁଦ୍ଧା ୫ ଲକ୍ଷ ୫୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବ । ଉପରମୁଣ୍ଡରୁ ପାଣି ଆସିବା ଜାରି ଥିବାରୁ ଜଳସ୍ତର ଆହୁରି ବଢ଼ିବ । ୧୫ ତାରିଖ ସୁଦ୍ଧା ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ୍ରୁ ଊର୍ଦ୍ଧ୍ୱ ଜଳ ପ୍ରବାହିତ ହେବ ବୋଲି ସେ କହିଛନ୍ତି । ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଥିବା କାରଣରୁ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ । ଏଣୁ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ଅଧିକାରୀମାନେ କହିଛନ୍ତି ।
ତେବେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧୫.୬ମିମିରୁ ୨୦୪.୪ମିମି) ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା (୬୪.୫ରୁ ୧୧୫.୫ମିମି) ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ୨୦୦.୪ ମିମି ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୧୬୮ମିମି, ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୧୬୭.୪, ସୁନ୍ଦରଗଡ଼ ସହରରେ ୧୬୩.୪, କଟକ ଜିଲ୍ଲା ବାଙ୍କିରେ ୧୬୨, କନ୍ଧମାଳର ଫିରିଙ୍ଗିଆରେ ୧୬୧.୬, ସମ୍ବଲପୁରର ଧନକଉଡ଼ାରେ ୧୫୯, ସୁନ୍ଦରଗଡ଼ର ଲେଫ୍ରିପଡ଼ାରେ ୧୫୬.୪, ଜଗତସିଂହପୁରର ବାଲିକୁଦରେ ୧୫୪, ସମ୍ବଲପୁର ସହରରେ ୧୪୬, ପୁରୀ ଜିଲ୍ଲା ଗୋପରେ ୧୪୦.୨, ଜଗତସିଂହପୁରର ତିର୍ତ୍ତୋଲ ଓ ନୂଆଗାଁରେ ଯଥାକ୍ରମେ ୧୩୫, ସୋନପୁର ଜିଲ୍ଲା ବିନିକାରେ ୧୩୨.୨, ସମ୍ବଲପୁରର ବୁର୍ଲାରେ ୧୩୧.୮, ପୁରୀର କାକଟପୁରରେ ୧୨୩, କଟକର କଣ୍ଟାପଡ଼ା ଓ ନିଆଳିରେ ଯଥାକ୍ରମେ ୧୨୩ ଓ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications