ହେନ୍ତାଳ ବଣ ସୁରକ୍ଷା ପାଇଁ ୨୬୦ କୋଟି ବ୍ୟୟ ବରାଦ
ରାଜ୍ୟରେ ହେନ୍ତାଳ ବଣ ସୁରକ୍ଷା ପାଇଁ ୨୬୦ କୋଟି ବ୍ୟୟ ବରାଦ କରାଯାଇଛି । ଆଜି ସଂସଦରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ରଖି ଏହା କହିଛନ୍ତି । ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦-୫୦ କିଲୋମିଟର ବ୍ୟାପି ରହିଛି। ତତ୍ ମଧ୍ୟରେ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି ।
ସେମାନଙ୍କ ମଧ୍ୟରୁ ଡଲଫିନ, କୁମ୍ଭୀର ଏବଂ ଅଲିଭ ରିଡଲେ କଇଁଛ ଅନ୍ୟତମ। ମତ୍ସ୍ୟଜୀବୀ ଏବଂ ନାବିକମାନେ ତାଙ୍କର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି । ୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା ।
ତେବେ କେତେ ଯେ ବାତ୍ୟାର ମାଡ଼କୁ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ହେନ୍ତାଳବଣ । ପରିବେଶବିତ୍ ବିରଜା ପତି କହିଛନ୍ତି, "ବଡ଼ ବଡ଼ ବିପଦ ଆସିଲେ ଲୁଣା ଜଙ୍ଗଲକୁ ଟପି ଜନବସତିକୁ କ୍ଷତି କରିପାରେ ନାହିଁ। ତେଣୁ ଉପକୂଳର ସୁରକ୍ଷା ପ୍ରାଚୀର ହେଉଛି ଲୁଣା ଜଙ୍ଗଲ।"

ଏଠାରେ ବନ୍ୟା, ସାମୁଦ୍ରିକ ଝଡ ସହିତ ସୁନାମୀ ଭୟ ମଧ୍ୟ ରହିଛି । କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏଥିରୁ ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି । ଏହାସହିତ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି ।












Click it and Unblock the Notifications