ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମରେ ରୂପାନ୍ତରଣ ପାଇଁ ୧୪୬ ହସ୍ପିଟାଲ୍ ଚିହ୍ନଟ
ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧୪୭ଟି ଡାକ୍ତରଖାନା କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି ।

ଭୁବନେଶ୍ୱର: ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧୪୭ଟି ଡାକ୍ତରଖାନା କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏହି ହସ୍ପିଟାଲ ଗୁଡ଼ିକ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ । ସବୁ ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ଆସୁଥିବା ହସ୍ପିଟାଲଗୁଡ଼ିତୁ ମୁଖ୍ୟତଃ ଏଥିରେ ସାମିଲ କରାଯାଇଛି ।
ଇତି ମଧ୍ୟରେ, ଜିଲ୍ଲାୱାରୀ ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରାଯାଇ ରୂପାନ୍ତରଣ ନିମନ୍ତେ ବିଧିବଦ୍ଧ ସରକାରୀ ବିଜ୍ଞାପ୍ତି ପ୍ରକାଶ କରାଯାଇଛି । ଆବଶ୍ୟକ ପଡୁଥିବା ନିର୍ମାଣ କାର୍ଯ୍ୟ ଏବଂ ଯନ୍ତ୍ରପାତି କ୍ରୟ ନିମନ୍ତେ ପ୍ରଶାସନିକ ଅନୁମୋଦନ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ବଜେଟ୍ ଏବଂ ଡି.ଏମ୍.ଏଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।
ହସ୍ପିଟାଲ୍ ରୂପାନ୍ତରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି କରାଯାଇଛି । ଏଷ୍ଟିମେଟ୍ ପ୍ରସ୍ତୁତି, ଅନୁମୋଦନ, ଏବଂ କାର୍ଯ୍ୟାନ ସଂସ୍ଥା ଚୟନ ଆଦି ନିମନ୍ତେ ମଧ୍ୟ ଜିଲ୍ଲାସ୍ତରୀୟ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲା ପୋଲିସ୍ ଅଧିକ୍ଷକ, ସଂପୃକ୍ତ ସହରାଞ୍ଚଳ କମିଶନର ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟବାହୀ ଯନ୍ତ୍ରୀ, ପାନୀୟଜଳ ଯୋଗାଣ ଯନ୍ତ୍ରୀ ସଂପୃକ୍ତ ବି.ଡି.ଓ, ମେଡିକାଲ୍ ଅଫିସର ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ଆଦି ଅଧିକାରୀଙ୍କୁ ଏହି କମିଟିର ସଦସ୍ୟଭାବେ ସାମିଲ୍ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାସ୍ତରୀୟ କମିଟିର ଆବାହକ ଦାୟିତ୍ୱ ସଂପାଦନ କରିବେ । ଏହି ପ୍ରଥମ ପର୍ଯ୍ୟାୟ ପୂପାନ୍ତରଣ କାମ ଚଳିତ ବର୍ଷ ଅକ୍ଟୋବର ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।












Click it and Unblock the Notifications