ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜନ୍ମ ଜୟନ୍ତୀ,ଜୀବନର ଅଧା ସମୟ କାରାଗାରରେ କାଟିଥିଲେ
ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜୟନ୍ତୀ ଆଜି ତାଙ୍କ ଜନ୍ମସ୍ଥାନ ଖିଣ୍ଡା ଠାରେ ପାଳନ କରାଯିବ ସମ୍ବଲପୁର ଜେଲ୍ ଛକ ଠାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବାର କାର୍ଯ୍ୟସୂଚୀ ରହିଛି । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ ।

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସ୍ପର୍ଧିତ ସ୍ବାଭିମାନର ସ୍ବର ଥିଲେ ସେ। ସିପାହୀ ବିଦ୍ରୋହକୁ ଯଦି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟମ ବୋଲି କୁହାଯାଏ ତେବେ ନିଶ୍ଚିତ ତାହା ସୁରେନ୍ଦ୍ରଙ୍କ ପ୍ରତି ଅନ୍ୟାୟ ହେବ। କାରଣ ତା'ର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରି ସାରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- 'ଉଲଗୁଲାନ୍'।
ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ। ମାତ୍ର ସମ୍ବଲପୁରରେ ଏହାର ଦୀର୍ଘ ବର୍ଷ ପର ଯାଏ ସଂଗ୍ରାମର ବହ୍ନି ଜଳିଥିଲା। ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀମାନେ ଏହାକୁ ଜଳାଇ ରଖିଥିଲେ। ସେମାନଙ୍କ ନିକଟରେ ସାଧନ ନଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ପ୍ରଶିକ୍ଷଣ ବ୍ୟବସ୍ଥା ନଥିଲା।
ତଥାପି ଦୀର୍ଘ ସାତ ବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫଉଜଙ୍କୁ ନୟାନ୍ତ କରି ରଖିଥିଲେ। ଯେତେବେଳେ ଆକୁମାରୀ ହିମାଚଳ ଦେଶର ସମସ୍ତ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇସାରିଥିଲା, ସେତେବେଳେ କେବଳ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ପାଇଁ ସମ୍ବଲପୁର ଥିଲା ବ୍ୟତିକ୍ରମ। ବ୍ରିଟିଶ ସାମ୍ରାଜ୍ୟରେ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ବାଧୀନ ରାଜ୍ୟ।












Click it and Unblock the Notifications