ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା ଜାରି
ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯାଇଛି ।
ପୁରୀ: ଆସନ୍ତକାଲି ପବିତ୍ର ଅକ୍ଷୟ ତୃତୀୟା । ଏହା ସହ ମଧ୍ୟ ପଡୁଛି ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା। ତେବେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାବାହୁଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା, ରଙ୍ଗ ଓ ନୌକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥ ଖଳାରେ କାଲି ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯାଇଛି ।

ରଥ ନିର୍ମାଣକୁ ନେଇ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ମାନେ ବେଶ ଉତ୍ସାହିତ ଅଛନ୍ତି। କୋଭିଡ କଟକଣା ନିୟମକୁ ମାନି ରଥ ନିର୍ମାଣ କାର୍ଯ୍ୟ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ପ୍ରସ୍ତୁତି କରାଯାଇଥିବା ବେଳେ ମହାପ୍ରଭୁଙ୍କ ଆସନ୍ତାକାଲି ସୀମିତ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ଜଳକ୍ରୀଡ଼ା ନୀତି ବା ଚନ୍ଦନ ଯାତ୍ରା ଆଗାମୀ ୨୧ ଦିନ ଧରି ଅନୁଷ୍ଠିତ ହେବ। ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ଆଗାମୀ ୨୧ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଲଗ଼ୁ ହେବ ।
ସେପଟେ ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ। ବନଯାଗ ପଦ୍ଧତିରେ ଦେଉଳ ପୁରୋହିତଙ୍କ ସହ ୧୧ଜଣ ବ୍ରାହ୍ମଣ ନୃସିଂହ ମନ୍ତ୍ରରେ କାଠକୁ ମନ୍ତିତ କରିବେ। କୁରାଢୀକୁ ଶକ୍ତି ମନ୍ତ୍ରରେ ପୂଜା କରିବା ପରେ ରଥନିର୍ମାଣ ଅନୁକୂଳ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ।












Click it and Unblock the Notifications