ଦିଲ୍ଲୀରେ ପି.ଓ.ଭି.ଏସ. ର ଦ୍ୱାଦଶ ପ୍ରବାସୀ ଓଡ଼ିଆ ଦିବସ ପାଳିତ
ପ୍ରବାସୀ ଓଡିଆ ବିକାଶ ସମିତିର ଦ୍ୱାଦଶ ପ୍ରବାସୀ ଓଡିଆ ଦିବସ ତଥା ବିଷୁବ ମିଳନ ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥା ପ୍ରେଖ୍ୟାଳୟରେ ରବିବାର ଦିନ ପାଳନ ହୋଇଯାଇଛି।ପଣା ପିଇ ଓଡ଼ିଆ ଘରର ଖାଦ୍ୟ ଖାଇ ଓଡ଼ିଶୀ, ସମ୍ବଲପୁରୀ ସମେତ ବିଭିନ୍ନ ନୃତ୍ୟ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ଦିବସକୁ ଅତି ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସୁରେଶ ଜୈନ 'ଉତ୍କର୍ଷ ଓଡିଶା ଉତ୍କୃଷ୍ଟ ଭାରତ' ବିଷୟବସ୍ତୁ ଉପରେ ଆଲୋକପାତ କରି ଉତ୍କୃଷ୍ଟ ଭାରତ ନିର୍ମାଣରେ ଉତ୍କର୍ଷ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଅଭିହିତ କରିଥିଲେ। ଯଦି ଓଡିଶାକୁ ବିଶ୍ଵଗୁରୁ ଭାରତର ଅନନ୍ୟ ଉଦାହରଣ ଭାବେ ଗଢିତୋଳିବା, ତେବେ ଏହି ରାଜ୍ୟର ମୂଳଭୂତ ଖ୍ୟାତି, ସଂସ୍କୃତି ଓ ଆଧ୍ୟାତ୍ମିକତା ସୁରକ୍ଷ୍ୟାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିରେ ପି.ଓ.ଭି.ଏସ. ଭଳି ସଂଗଠନ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ସେ କହିଥିଲେ। ଓଡିଶାକୁ ଉତ୍କର୍ଷ କଳାର ରାଜ୍ୟ ଭାବେ ଅବଲୋକନ କରି ଶ୍ରୀ ଜୈନ କହିଥିଲେ ଯେ ଭାରତର କଳା, ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅନନ୍ୟ।
ପ୍ରବାସୀ ଓଡ଼ିଆ ବିକାଶ ସମିତି ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଏବେ ଓଡ଼ିଆ ମାନେ ଭାରତ ବର୍ଷରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି।
ମିଶ୍ର କହିଥିଲେଯେ ଏବେ ଓଡ଼ିଆ ମାନେ ଭାରତରେ ଶାସନ ପ୍ରଶାସନ ଚଳାଉଛନ୍ତି । ଆଜି ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଯେଉଁ ଶିକ୍ଷା ଆଜି ଭାରତବର୍ଷକୁ ପରିବର୍ତ୍ତନ କରୁଛି, ବୋଲି ସେ କହିଥିଲେ। ପ୍ରଧାନ ଖୁବ ସୁଚାରୁରୂପେ ନୂଆ ଜାତୀୟ ଶିକ୍ଷାନୀତି କୁ ପ୍ରଣୟନ କରୁଛନ୍ତି ବୋଲି ସେ କହିଥିଲେ।
ଅନୁଷ୍ଠାନର ଉପସଭାପତି ଚିନ୍ମୟ ମହାନ୍ତି ବାଜି ରାଉତ ଓ ଧର୍ମପଦଙ୍କ ଉଦାହରଣ ଦେଇ ଓଡ଼ିଆ ମାନେ କିପରି ତ୍ୟାଗ ଓ ବଳିଦାନର ପରାକାଷ୍ଠା ଦେଇଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ I
ପି.ଓ.ଭି.ଏସ. ର ସାଧାରଣ ସମ୍ପାଦିକା ବିଜୟା ନବମୀ ବାର୍ଷିକ ବିବରଣୀ ପାଠକରି ଅନୁଷ୍ଠାନର ଗତ ଏକ ବର୍ଷର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ।
ଏହି ଅବସରରେ ଜାମ୍ମୁ କାଶ୍ମୀରର ପୂର୍ବତନ ପୋଲିସ ମହା ନିର୍ଦେଶକ ରଶ୍ମୀ ରଂଜନ ସ୍ୱାଇଁଙ୍କୁ ପ୍ରବାସୀ ଓଡ଼ିଆ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେହିପରି ଆଇ.ଜି. ଡ୍ରୋନ ନାମକ ସଂସ୍ଥାକୁ ମଧ୍ୟ ପ୍ରବାସୀ ଓଡ଼ିଆ ସମ୍ମାନରେ ସମ୍ମାନିତ କରଯାଇଥିଲା ଯାହାର ଡ୍ରୋନ ଅପରେସନ ସିନ୍ଦୁରରେ ବ୍ୟବହାର କରାଯାଇଥିଲା।
ଏନ.ବି.ସି.ସି. ର ଚିଫ ଜେନେରାଲ ମ୍ୟାନେଜେର ଦେବାଶିଷ ଶତପଥି, ଚିତ୍ରକର କାହ୍ନୁ ବେହେରାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା। ଡାକ୍ତର ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କୁ ପ୍ରବାସୀ ଆରୋଗ୍ୟ ଗୌରବ ସମ୍ମାନ ଓ ପରିବେଶବିତ ପ୍ରଦୀପ କୁମାର ଦାସଙ୍କୁ ପ୍ରବାସୀ ସବୁଜ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ଅନୁଷ୍ଠାନର ସହ ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ I
ଏହି ଅବସରରେ ଡକ୍ଟର ଶୈଳେନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା ସମ୍ପାଦିତ
ଅନୁଷ୍ଠାନର ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା
ଅନ୍ୟମାନଙ୍କ ମଧ୍ୟରେ ସୁଷାନ୍ତ ମହାପାତ୍ର, ପିୟୁଶ ମହାପାତ୍ର, ମଳୟ ପ୍ରଧାନ, ସନ୍ତୋଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I












Click it and Unblock the Notifications