ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ ଦିନ: ଆଜି ଦଶାହ ପାଳିଲେ, ମୁଣ୍ଡନ ହେଲେ ଶତାଧିକ ଲୋକ
ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ୧୦ମ ଦିନ ପୁରୁଛି । ହିନ୍ଦୁ ଧର୍ମ ଅନୁସାରେ ଆଜି ବାହାନଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆାରେ ଦଶାହ କର୍ମ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ଶତାଧିକ ସ୍ଥାନୀୟ ଲୋକ ମୁଣ୍ଡନ ହୋଇଛନ୍ତି ।
ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ଆତ୍ମାଙ୍କର ସଦଗତି କାମନା କରି, ଏହି କାର୍ଯ୍ୟକ୍ରମ କରାଯାଉଛି । ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ।

ତେବେ ଆସନ୍ତାକାଲି ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମସଂକୀର୍ତନ, ଗାୟତ୍ରୀମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି । ସେହିପରି ୧୩ ତାରିଖ ଦିନ ଶୋଭାଯାତ୍ରା, ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ, ସାମୂହିକ ପ୍ରସାଦସେବନ ଲାଗି ବ୍ୟବସ୍ଥା କରାଯାଇଛି । ସେହିପରି ଅପରାହ୍ଣ ପରେ ୫ ହଜାର ୮ ଦୀପଦାନ ଏବଂ ଅମୃତଧାରା ସତସଙ୍ଗ ସମାରୋହ ପାଳିତ ହେବ । ବାହାନଗା, ସୋର ତଥା ସାମଗ୍ରିକ ଭାବରେ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତାଙ୍କ ପକ୍ଷରୁ ଏହି ଆୟୋଜନ କରାଯାଉଛି ।
ସୂଚନାଥାଉ କି, ବାହାନଗା ଟ୍ରେନ ଦୁର୍ଘଟଣାରେ ଏବେବି ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ୮୧ଟି ମୃତଦେହ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର ଥିବାରୁ ଚିହ୍ନଟ ପକ୍ରିୟାରେ ବିଳମ୍ବ ହେଉଛି ବୋଲି କହିଛନ୍ତି ଏମ୍ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରଭାସ ତ୍ରିପାଠୀ ।
ସେ କହିଛନ୍ତି, କଣ୍ଟେନରରେ ଥିବା ସମସ୍ତ ମୃତଦେହ ଅବସ୍ଥା ଠିକ ରହିଛି । କିପରି ମୃତଦେହକୁ ଅଧିକ ଦିନ ରଖ ଯାଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି । ମୃତଦେହ ହସ୍ତାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି । ଏନେଇ ସମ୍ପର୍କୀୟ ମାନଙ୍କ ଠାରୁ ୭୧ଟି ଡିଏନ୍ଏ ନମୂନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି ।












Click it and Unblock the Notifications